ଭୁବନେଶ୍ବର: କୋଭିଡ-୧୯ କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ‘ବିବାଦ ସେ ବିଶ୍ୱାସ-୧’ ଯୋଜନା ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ୍ରେ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଏମ୍ଏସ୍ଏମ୍ଇ ଶିଳ୍ପ ସଂସ୍ଥାଗୁଡିକୁ ସହାୟତା ଯୋଗାଇବା ବିଷୟ ଘୋଷଣା କରିଥିଲେ।
ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ମର୍ମରେ ୨୦୨୩ ଫେବୁଆରି ୬ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ଏହି ଯୋଜନାର ସବିଶେଷ ବିବରଣୀ ଓ ତଥ୍ୟ ରହିଛି । ଏ ସଂକ୍ରାନ୍ତ ଚୂଡାନ୍ତ ନିର୍ଦ୍ଦେଶାବଳି ଗତ ଏପ୍ରିଲ ୧୧ତାରିଖରେ ପ୍ରକାଶ ପାଇଥିଲା । ସେଥିରେ କ୍ଷତିଗ୍ରସ୍ତ ଏମ୍ଏସ୍ଏମ୍ଇଗୁଡିକୁ ସହାୟତା ପ୍ରଦାନ ପାଇଁ ଆବେଦନ ସମୟ ମିଆଦି ବୃଦ୍ଧି, କେତେ ଟଙ୍କା ଫେରସ୍ତ ଦିଆଯିବ ଓ ଆଉ କେତେକ ତଥ୍ୟ ରହିଥିଲା । ଏହା ପରେ ଏହି ଯୋଜନାଟିକୁ ଗତ ଏପ୍ରିଲ ୧୭ରୁ କାର୍ଯ୍ୟକାରୀ କରାଯାଇଛି । ଯେଉଁ ଏମ୍ଏସ୍ଏମଇ ଉଦ୍ୟୋଗ କରୋନା ମହାମାରୀ କାରଣରୁ ସରକାରଙ୍କ ସହିତ କରିଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବେ ସେମାନେ ନିଲାମ ବା ବିଡ୍ ବାବଦରେ ଦେଇଥିବା ଅର୍ଥର ୯୫% କିମ୍ବା ପ୍ରଦର୍ଶନଭିତ୍ତିକ ଅମାନତ ଅର୍ଥ ବା ପରଫରମାନ୍ସ ସିକ୍ୟୁରିଟି ଫେରି ପାଇବାକୁ ନିର୍ଦ୍ଧାରିତ ତାରିଖ ୨୦୨୩ ଜୁନ ୩୦ତାରିଖ ସୁଦ୍ଧା ଆବେଦନ କରିପାରିବେ । ସେମାନଙ୍କୁ ‘ବିବାଦ ସେ ବିଶ୍ୱାସ’ ଯୋଜନାରେ ଏହି ଅର୍ଥ ଫେରସ୍ତ ଦିଆଯିବ।