ନୂଆଦିଲ୍ଲୀ: ଦକ୍ଷିଣ ଆଫଗାନିସ୍ତାନର ହିନ୍ଦୁକୁଶ ଅଂଚଳରେ ଆଜି ୬.୧ ତୀବ୍ରତାର ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ଏହି ଭୂକମ୍ପ ପାକିସ୍ତାନ ଏବଂ ଉତ୍ତର ଭାରତକୁ ମଧ୍ୟ ଥରାଇ ଦେଇଛି। ଆଫଗାନିସ୍ତାନର ଉତ୍ତର ସୀମା ତାଜିକିସ୍ତାନର ହିନ୍ଦୁକୁଶ ପର୍ବତମାଳାର ୧୯୨ କିମି ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାଯାଇଛି। ତେବେ ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଥିଲେ ମଧ୍ୟ ଏହାର ପ୍ରଭାବ ଦିଲ୍ଲୀ-ଏନ୍ସିଆର, ହରିୟାଣା, ପଂଜାବ, ଜମ୍ମୁ କଶ୍ମୀର ଏବଂ ରାଜସ୍ଥାନର କିଛି ଅଂଶରେ ଦେଖିବାକୁ ମିଳିଛି। ଭୂକମ୍ପ ଅନୁଭୂତ ହେବାପରେ ସମ୍ପୃକ୍ତ ଅଞ୍ଚଳରେ ଲୋକେ ଭୟରେ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ। ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଚଳାଚଳ ମଧ୍ୟ କିଛି ସମୟ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଦକ୍ଷିଣପଶ୍ଚିମରେ ଉକ୍ତ ଭୂକମ୍ପ ଦ୍ୱାରା ଏକ କୋଠା ଭୁଶୁଡ଼ି ପଡ଼ିବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଆହତ ହୋଇଛନ୍ତି। ସେହିପରି ଭୂକମ୍ପ ଦ୍ୱାରା କ୍ୱେଟାର କିଛି ଅଂଶରେ କୋଠା ଭାଙ୍ଗି ପଡ଼ିଥିବା ଫଳରେ ଅନେକ ଆହତ ହୋଇଥିବା ରିପୋର୍ଟ ମିଳିଛି। ଆଫଗାନିସ୍ତାନରେ ଲଗାତାର ଭୂକମ୍ପ ଏବଂ ନିର୍ଦ୍ଦିଷ୍ଟ ଭାବେ ହିନ୍ଦୁକୁଶ ପର୍ବତମାଳାରେ ଭୂକମ୍ପ ଆଫଗାନ୍ ବାସିନ୍ଦାଙ୍କ ଭୟ ବଢ଼ାଇ ଦେଇଛି। ୨୦୧୫ ମସିହା ଅକ୍ଟୋବର ମାସରେ ହୋଇଥିବା ୭.୫ ତୀବ୍ରତାର ଭୂକମ୍ପରେ ଭୂସ୍ଖଳନ ଏବଂ କୋଠା ଭୁଶୁଡ଼ି ୩୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ବ୍ୟାପକ କ୍ଷୟକ୍ଷତି ଘଟିଥିଲା।
ଥରିଲା ଉତ୍ତର ଭାରତ
ଆଫଗାନିସ୍ତାନରେ ୬.୧ ତୀବ୍ରତାର ଭୂକମ୍ପ
/sambad/media/post_attachments/wp-content/uploads/2018/01/delhi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)