୧୯୭୧ ପାକ-ଭାରତ ଯୁଦ୍ଧର ନାୟକ ଭାଇସ୍ ଆଡମିରାଲ୍ ଏସ୍.ଏଚ୍.ଶର୍ମାଙ୍କ ପରଲୋକ

ଭୁବନେଶ୍ବର : ନୌସେନାର ଅବସରପ୍ରାପ୍ତ ଭାଇସ-ଆଡମିରାଲ୍ ତଥା ୧୯୭୧ ପାକ-ଭାରତ ଯୁଦ୍ଧର ନାୟକ ଏସ୍.ଏଚ୍ ଶର୍ମାଙ୍କର ସୋମବାର ସଂଧ୍ୟାରେ ପରଲୋକ ହୋଇଛି। ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍‌ର ଫ୍ଲାଗ୍‌ ଅଫିସର୍‌ କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ ଅବସର ଗ୍ରହଣ କରିଥିବା ଆଡମିରାଲ୍ ଶର୍ମାଙ୍କର ୧୦୦ ବର୍ଷ ବୟସରେ ଭୁବନେଶ୍ବର‌ରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ବିରୋଧରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ଅସୀମ ବୀରତ୍ବ ପ୍ରଦର୍ଶନ କରିଥିବା  ଶର୍ମାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା। ସୂଚନା ଅନୁସାରେ, ଆଡମିରାଲ୍ ଶର୍ମାଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ଲାଗି ମଙ୍ଗଳବାର ତାଙ୍କର ଭୁବନେଶ୍ବର ନୀଳକଣ୍ଠ ନଗରସ୍ଥିତ ବାସଭବନରେ ରଖାଯିବ ଓ ୫ ତାରିଖ ଦିନ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ। ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

୧୯୩୬ ମସିହାରେ ମାତ୍ର ୧୪ ବର୍ଷ ବୟସରେ ଓଡ଼ିଶାରେ ଜନ୍ମିତ ଭାଇସ୍ ଆଡମିରାଲ୍ ଶର୍ମା ‘ଆଇଏମ୍‌ଏମ୍‌ଟିଏସ୍‌ (ଇଣ୍ଡିଆନ୍‌ ମର୍ଚ୍ଚାଣ୍ଟାଇଲ୍‌ ମେରାଇନ୍‌ ଟ୍ରେନିଂ ସିପ୍‌) ତଫରିନ୍‌ରେ ଯୋଗ ଦେଇଥିଲେ। ୩ ବର୍ଷର ଟ୍ରେନିଂ ପରେ ବେଷ୍ଟ ଅଲ୍‌ରାଉଣ୍ଡ୍‌ କ୍ୟାଡେଟ୍‌ ଭାବେ ଭାଇସ୍‌ରାୟଙ୍କ ସ୍ବର୍ଣ୍ଣ ପଦକ ପାଇଥିଲେ। ୧୯୪୨ରେ ରୟାଲ ଇଣ୍ଡିଆନ୍‌ ରିଜର୍ଭରେ ଓ ପରେ କମିସନ୍‌ ପାଇ ଏଚ୍‌ଏମ୍‌ଆଇଏସ୍‌ ରୁକ୍ମବତୀରେ ଯୋଗ ଦେଇଥିଲେ ସେ । ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ୩ ବର୍ଷ, ବର୍ମା ଓ ମାଲେସିଆରେ ଯୁଦ୍ଧକୁ  ଖୁବ୍‌ ନିକଟରୁ ଦେଖିଥିଲେ ସେ। ତାଙ୍କ ଠାରୁ ୫୬ ଜଣ ସିନିୟର ଅଫିସରଙ୍କୁ ପଛରେ ପକାଇ ସେ ପ୍ରଥମେ କମାଣ୍ଡର୍‌ ଓ ୧୨ ଜଣଙ୍କୁ ପଛରେ ପକାଇ କ୍ୟାପ୍‌ଟେନ୍‌ ପଦବିକୁ ପଦୋନ୍ନତି ପାଇଥିଲେ। ପରେ ସେ ରିୟର ଆଡମିରାଲ୍, ଫ୍ଲିଟ୍ କମାଣ୍ଡର ଓ ଶେଷରେ ଭାଇସ୍ ଆଡମିରାଲ୍ ହୋଇ ଅବସର ଗ୍ରହଣ କରିଥିଲେ। ୧୯୭୧ ପାକ-ଭାରତ ଯୁଦ୍ଧରେ ସେ ନୌସେନାର ନେତୃତ୍ବ ନେଇ ପାକ ବୁଡ଼ାଜାହାଜ ପିଏନଏସ୍ ଘାଜିକୁ ଧ୍ବଂସ କରିଥିଲେ। ଏଥିସହ ତତ୍କାଳୀନ ପୂର୍ବ ପାକିସ୍ତାନ ଅନ୍ତର୍ଗତ ଚିଟ୍ଟାଗଙ୍ଗ ବନ୍ଦରକୁ ନିଜ ଅକ୍ତିଆରକୁ ନେଇ ସେଠାକାର ପାକିସ୍ତାନ ‘ନାଭାଲ୍‌ ଅଫିସର୍‌-ଇନ୍‌-ଚାର୍ଜ‌’ଙ୍କୁ ହଟାଇ  ମାସଟିଏ ସେଠାକାର ଦାୟିତ୍ବ ରହିଥିଲେ । ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନର ୧୫ଟି ଜାହାଜ ଅକ୍ତିଆର କରିଥିଲା, ଯାହାକୁ ଯୁଦ୍ଧର କିଛିଦିନ ପରେ ଫେରାଇ ଦିଆଯାଇଥିଲା। ଭାରତ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ସମ୍ମାନିତ ହେବା ଲାଗି ନିକଟରେ ସେ ଦିଲ୍ଲୀ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର