କର୍ଣ୍ଣାଟକରେ ସିଦ୍ଧରାମେୟା-ଶିବକୁମାର କ୍ଷମତା ଲଢ଼େଇ

ଦଳୀୟ ନେତାଙ୍କୁ ଦୋଷ ଦେଲେ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଉପରେ ସଙ୍କଟର ବାଦଲ ଛାଇ ରହିଥିବା ବେଳେ କଂଗ୍ରେସରେ ଚାଲିଥିବା ବଡ଼ ଧରଣର ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି । ଦଳରେ ଲାଗି ରହିଥିବା ସଂକଟ ପାଇଁ ବରିଷ୍ଠ ନେତାମାନେ ଦାୟୀ ବୋଲି ଜଣାପଡ଼ିଛି। କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରାମେୟା ଏବଂ ଦଳର ଟାଣୁଆ ନେତା ତଥା ଜଳ ସଂପଦ ମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢ଼େଇ ଯୋଗୁଁ ସରକାରରେ ସଙ୍କଟ ସୃଷ୍ଟି ହୋଇଛି ଏବଂ ବିଧାୟକମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଉଛନ୍ତି। ରାଜ୍ୟର ବିଭିନ୍ନ ବୋର୍ଡ ଏବଂ କର୍ପୋରେସନରେ ନିଯୁକ୍ତି ଦେଇ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏ ନେଇ ନିଜ ଅସହାୟତା ପ୍ରକାଶ କରୁଛନ୍ତି। କୁମାରସ୍ବାମୀ ସରକାରଙ୍କ ଜଣେ ମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସର ସଙ୍କଟ ପାଇଁ ଏହି ଦୁଇ ନେତା ହିଁ ଦାୟୀ ଏବଂ ବିଜେପି କେବଳ ଏଥିରୁ ଫାଇଦା ‌ଉଠାଇବାକୁ ଚେଷ୍ଟା କରୁଛି। ଉପ ମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ମଧ୍ୟ ସରକାରରେ ଆସିଥିବା ସଙ୍କଟ ପାଇଁ ନିଜ ଦଳକୁ ଦାୟୀ କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ହିଁ ମଧ୍ୟସ୍ଥି ଭାବେ କଂଗ୍ରେସ ବିଧାୟକଙ୍କ ସହିତ ଆଲୋଚନା କରିବା ଆବଶ୍ୟକ ବୋଲି ପରମେଶ୍ବର କହିଛନ୍ତି।

‘ଘୋଡ଼ା ବେପାର’ ବିରୋଧରେ ବିକ୍ଷୋଭ
ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ ଆଜି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଜେପିକୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ନେତାମାନେ ସରକାର ଭାଙ୍ଗିବାକୁ ଏବେ ଘୋଡ଼ା ବେପାରରେ ବ୍ୟସ୍ତ ଅଛନ୍ତି ବୋଲି ଅଭିଯୋଗ ଆଣି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିଜେପି ମଧ୍ୟ କଂଗ୍ରେସ ବି‌ରୋଧରେ ସମାନ ଅଭିଯୋଗ ଆଣିଛି। କଂଗ୍ରେସ-ଜେଡିଏସ୍‌ ବିଧାୟକମାନେ ବିଦ୍ରୋହକୁ ଓହ୍ଲାଇଥିବାରୁ ସରକାର ଭାଙ୍ଗିଯିବା ଭୟରେ କଂଗ୍ରେସ ହିଁ ଘୋଡ଼ା ବେପାର ଚଳାଇଛି ବୋଲି ବିଜେପି କହିଛି। ୭ ମାସ ପୁରୁଣା କୁମାରସ୍ବାମୀ ସରକାର ଲୋକଙ୍କୁ ସୁଶାସନ ଦେବା ବଦଳରେ କେବଳ ଆଭ୍ୟନ୍ତରୀଣ କଳହରେ ବୁଡ଼ି ରହିଛି ବୋଲି ବରିଷ୍ଠ ବିଜେପି ନେତା ବି.ଏସ୍. ୟେଦୁରପ୍ପା କହିଛନ୍ତି। ଆସନ୍ତାକାଲି କଂଗ୍ରେସର ବିଧାୟକ ଦଳ ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର