ଦୁଇଦିନିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ: ବିମାନବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ସେଠାରୁ ଏମ. ଭେଙ୍କେୟା ନାଇଡୁ ସିଧାସଳଖ ରାଜଭବନ ଯାଇଛନ୍ତି। ରାଜଭବନ ସେ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାଯାଇଛି।

ଅପରାହ୍ଣ ୪ଟା ୪୫ରେ ରାଜଭବନରୁ ବାହାରି ସଡ଼କ ପଥରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନକୁ ଯିବେ। ଅପରାହ୍ଣ ୫ଟା ୩୦ରୁ ୬ଟା ୩୦ଟା ପର୍ଯ୍ୟନ୍ତ କଟକ ସାରଳା ଭବନଠାରେ ଆୟୋଜିତ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ ତଥା ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହରେ ଉପସ୍ଥିତ ରହିବେ। ସନ୍ଧ୍ୟା ୬ଟା ୩୦ରେ ସାରଳା ଭବନରୁ ବାହାରି ୭ଟା ୫ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ। ୩ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୧୦ରେ ରାଜଭବନରୁ ବାହାରି ବିଶ୍ବବିଦ୍ୟାଳୟ ଅଭିମୁଖେ ଯିବେ। ୧୦ଟା ୨୦ରେ କ୍ୟାମ୍ପସରେ ପହଞ୍ଚିବା ସହ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସେଠାରେ ରହିବେ। ଏହାପରେ ରାଜଭବନକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିବେ ଏବଂ ଅପରାହ୍ଣ ୫ଟାରେ ନୂଆଦିଲ୍ଲୀ ଫେରିଯିବେ।

ସମ୍ବନ୍ଧିତ ଖବର