ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନକଭିଙ୍କ ସହ ଏହି ତିନିଟି ନାମକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଥିଲେ ବି ଏନଡିଏ ବା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ | ଉପରାଷ୍ଟ୍ରପତି ନିର୍ବାଚନ ୬ ଅଗଷ୍ଟରେ ହେବାକୁ ଥିବାବେଳେ ଯେଉଁଥିପାଇଁ ନାମାଙ୍କନ ପ୍ରକ୍ରିୟା ୫ ଜୁଲାଇରୁ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଜୁଲାଇ ୧୯ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ। ତେବେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ତାରିଖକୁ ଆଉ ମାତ୍ର ୭ ଦିନ ବାକି ଥିବାବେଳେ ନିକଟରେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମୁଖତାର ଅବ୍ବାସ ନକଭିଙ୍କ ନାମ ମୋଟାମୋଟି ଏନଡିଏ ପକ୍ଷରୁ ଫାଇନାଲ କରାଯାଇଥିବାର ଶୁଣିବାକୁ ମିଳୁଥିଲେ ବି ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ। ତେବେ ବର୍ତ୍ତମାନର ତାଜା ଖବର ମୁତାବକ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବରେ ନକଭିଙ୍କ ବ୍ୟତୀତ ଆଉ ତିନୋଟି ନାମ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ସୁରେଶ ପ୍ରଭୁ, ହରଦୀପ ପୁରୀ ଏବଂ ଏସଏସ ଅହଲୁୱାଲିଆଙ୍କ ମଧ୍ୟରୁ କାହାକୁ ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଇପାରେ |

ଅହଲୁୱାଲିଆ ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ଲୋକସଭା ସାଂସଦ ଥିବାବେଳେ ସୁରେଶ ପ୍ରଭୁ ରେଳମନ୍ତ୍ରୀ ଥିଲେ | ସେହିପରି ହରଦୀପ ସିଂ ପୁରୀ କେନ୍ଦ୍ର ସରକାରରେ ମନ୍ତ୍ରୀ ଅଛନ୍ତି । ଏହାପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ, ମଣିପୁରର ପୂର୍ବତନ ରାଜ୍ୟପାଳ ନଜମା ହେପତୁଲ୍ଲା ଏବଂ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବନ ପଟେଲଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |

ତେବେ କଳ୍ପନାଜଳ୍ପନା ହେଉଛି ଯେ ଯଦି ନକଭିଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଏ, ତେବେ ତାଙ୍କୁ ସମର୍ଥନ କରିବା ବ୍ୟତୀତ ବିରୋଧୀଙ୍କ ପାଖରେ କୌଣସି ଉପାୟ ରହିବ ନାହିଁ। ଜଣେ ବିଜେପି ନେତାଙ୍କ କହିବାନୁସାରେ, ନକଭି ସର୍ବଦା ରାଜନୀତିରେ ପରିପକ୍ୱତା, ନିରପେକ୍ଷତା ଏବଂ ସଚ୍ଚୋଟତା ଦେଖାଇଛନ୍ତି। ଏଥି ସହିତ ଉତ୍ତରପ୍ରଦେଶର ହାଇ ପ୍ରୋଫାଇଲ୍ ଆଜମଗଡ ଏବଂ ରାମପୁର ଉପ-ନିର୍ବାଚନରେ ​​ନକଭି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର