ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ବିଭାଜିତ ରାୟ ସତ୍ତ୍ବେ ମଦନୀତି ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ କରିବା ସମୟରେ ଖଣ୍ଡପୀଠ ମୌଖିକ ଭାବେ ସିବିଆଇକୁ ତାଗିଦ୍ କରି ‘ପଞ୍ଜୁରୀରେ ଥିବା ଶୁଆ’ ଭଳି ନହେବାକୁ କହିଥିଲେ। ଏହି ପ୍ରସଙ୍ଗକୁ ନେଇ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟକୁ ସମାଲୋଚନା କରିଛନ୍ତି। ନିର୍ବାଚନ କମିସନ, ତଦନ୍ତକାରୀ ଅନୁଷ୍ଠାନ ଆଦି ଉପରେ ଏଭଳି ଟିପ୍ପଣୀ ଦେବା ପୂର୍ବରୁ ‘ଅତ୍ୟନ୍ତ ସଚେତନ’ ରହିବାକୁ ପରାମର୍ଶ ଦେଇଛନ୍ତି। ଆଜି ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଧନଖଡ଼ କହିଛନ୍ତି, ଦେଶର ସମସ୍ତ ଅନୁଷ୍ଠାନର ଏକମାତ୍ର ସାଧାରଣ ଲକ୍ଷ୍ୟ ହେଉଛି ଦେଶର ସାଧାରଣ ଜନତା ସେମାନଙ୍କ ଅଧିକାର ପାଆନ୍ତୁ ଏବଂ ଦେଶ ବିକଶିତ ଓ ଉନ୍ନତ ହେଉ।
ସେମାନେ ଦେଶର ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେଇ ପରସ୍ପର ସହଯୋଗ ଓ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା କଥା। ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା କୌଣସି ସମୟରେ ଏଭଳି ରାଜନୈତିକ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ଉଚିତ ନୁହେଁ ଯାହାଦ୍ବାରା କଠିନ ଓ ସମସ୍ୟାମୂଳକ ପରିସ୍ଥିତିରେ ଦେଶର ସ୍ବାର୍ଥ ପାଇଁ କାମ କରୁଥିବା ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହେବ। ନିକଟରେ ନିର୍ବାଚନ କମିସନ ଓ ସିବିଆଇ ପ୍ରତି ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀକୁ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଥିଲେ ଯେ ଏଭଳି ଟିପ୍ପଣୀ ରାଜନୈତିକ ବିତର୍କ ଓ ତ୍ରୁଟିପୂର୍ଣ୍ଣ ବର୍ଣ୍ଣନା ସୃଷ୍ଟି କରିବ। ଏଭଳି ଅନୁଷ୍ଠାନ ପ୍ରତି କୌଣସି ମନ୍ତବ୍ୟ ଦେବାବେଳେ ଅତ୍ୟନ୍ତ ସଚେତନ ରହିବାକୁ ପଡ଼ିବ। ଏହି ଅନୁଷ୍ଠାନଗୁଡ଼ିକ ବ୍ୟାପକ, ସେମାନେ ଦେଶର ଆଇନାନୁସାରେ ସ୍ବାଧୀନ ଭାବେ କାର୍ଯ୍ୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/pnYX5Aw9YbQyW0BD3AYx.jpg)