ଶନିବାର ଉପରାଷ୍ଟ୍ରପତି ନିର୍ବାଚନ : କିଏ କାହାକୁ ସମର୍ଥନ କରିବ ?

ନୂଆଦିଲ୍ଲୀ : ଆସନ୍ତା କାଲି ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏଥିରେ ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ୟୁପିଏ ପକ୍ଷରୁ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି ।

ତେବେ ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ଗୋଳମାଳିଆ ପରିସ୍ଥିତି ପରେ ଏହି ନିର୍ବାଚନରେ ବିଭିନ୍ନ ଦଳର ସ୍ଥିତି ଅସ୍ପଷ୍ଟ ରହିଛି । ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ଭାଗ ନେବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଶୁକ୍ରବାର ହୋଇଥିବା ମୋଦୀ-ମମତା ସାକ୍ଷାତକୁ ରାଜନୈତିକ ବିଶ୍ଳେଷକମାନେ ଅଂକ କଷିବା ଆରମ୍ଭ କରିଦେଇଛନ୍ତି ।

ଅନ୍ୟପକ୍ଷରେ ଆପ, ଟିଆରଏସ, ଜେଏମଏମ ଆଦି ଦଳ ମାର୍ଗାରେଟଙ୍କୁ ସମର୍ଥନ ଘୋଷଣା କରିଥିବାବେଳେ ବହୁଜନସମାଜ ପାର୍ଟି ଧନକରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି । ଶିବସେନାରେ ବିଭାଜନ ହୋଇଥିବାରୁ କିଛି ସାଂସଦ ଏନଡିଏକୁ  ଓ ଆଉ କିଛି ସାଂସଦ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ ଦେଇପାରନ୍ତି । ଏନଡିଏର ସହଯୋଗୀ ଦଳମାନେ ଧନକରଙ୍କୁ ଭୋଟ ଦେବାର ସମ୍ଭାବନା ଥିବାବେଳେ କେବଳ ଜେଡିୟୁର ଆଭିମୁଖ୍ୟକୁ ନେଇ ସଂଦେହ ଦେଖାଦେଇଛି ।  ଏହା ସତ୍ତ୍ବେ ଧନକରଙ୍କ ବିଜୟ ସମ୍ଭାବନା ସର୍ବାଧିକ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶର ଉପରାଷ୍ଟ୍ରପତି ଥିବା ଏମ୍‌. ଭେଙ୍କୟା ନାଇଡୁଙ୍କ କାର୍ୟ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି । ଜୁଲାଇ ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଥିଲେ ।

ସମ୍ବନ୍ଧିତ ଖବର