ନୂଆଦିଲ୍ଲୀ: ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି। ଧାର୍ଯ୍ୟ ହେଲା ତାରିଖ। ଖୁବଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ଉପରାଷ୍ଟ୍ରପତି। ଆଜି ଉପରାଷ୍ଟ୍ରପତି ବାଛିବା ପାଇଁ ହେବାକୁ ଥିବା ନିର୍ବାଚନ ଓ ନାମାଙ୍କନ ଦାଖଲର ତାରିଖ ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ଆଜି ଘୋଷଣା କରିଛନ୍ତି ଯେ, ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୁଲାଇ ୨୧ ତାରିଖରେ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତେଣୁ, ତାଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଛି। 

Advertisment

ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅଗଷ୍ଟ ୭ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ଏହା ପରେ, ସେପ୍ଟେମ୍ବର ୯ ତାରିଖ ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ଅଗଷ୍ଟ ୧୧ରୁ ‌ଧନଖଡ଼ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଥିଲେ। ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ୧୯୯୦ରୁ ୧୯୯୧ ମଧ୍ୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାରେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୯ରେ ଆଇନଜୀବୀ ଭାବେ ସେ ରାଜସ୍ଥାନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।