ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଆକସ୍ମିତ ଇସ୍ତଫା ପରେ ଏବେ ଗୋଟେପଟେ ଜୋରଦାର ଇସ୍ତଫାର କାରଣ ଖୋଜା ରାଜନୀତି ଚାଲିଥିବା ବେଳେ ଅନ୍ୟପଟେ ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ଏବଂ ଏଥିସହ ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି । ଖୁବଶୀଘ୍ର ନିର୍ବାଚନ ତାରିଖ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।
ସୋମବାର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଇସ୍ତଫା ଦେଇଥିବା ବେଳେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ଏବଂ ଏହାର ନିର୍ବାଚନ ପ୍ରକ୍ରିୟା କ'ଣ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ । ତେବେ ଜାଣନ୍ତୁ କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ ? କଣ ରହିଛି ପ୍ରକ୍ରିୟା ?
ଉପରାଷ୍ଟ୍ରପତି ନିର୍ବାଚନ: କିଏ ଦିଅନ୍ତି ଭୋଟ୍ ?
-ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଅଂଶଗ୍ରହଣ କରନ୍ତି ।
-ଲୋକସଭାର ସମସ୍ତ ନିର୍ବାଚିତ ସଦସ୍ୟ ଏବଂ ରାଜ୍ୟ ସଭାର ସମସ୍ତ ସଦସ୍ଯ ଏହି ନିର୍ବାଚନରେ ଭାଗ ନିଅନ୍ତି ।
-ଲୋକସଭାର ୫୪୩ ଜଣ ସାଂସଦ ଏବଂ ରାଜ୍ୟସଭାର ୨୫୦ ଜଣ ସାଂସଦଙ୍କୁ ମିଶାଇ ମୋଟ୍ ୭୯୩ ଜଣ ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାଆନ୍ତି ।
ଉପରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟତା କ'ଣ ?
-ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ବ୍ୟକ୍ତିଙ୍କୁ ଭାରତର ନାଗରିକ ହେବା ଜରୁରୀ । ତାଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ସେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାର ସମସ୍ତ ଯୋଗ୍ୟତା ପୂରଣ କରୁଥିବା ଆବଶ୍ୟକ ।
-ଉପରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଜମା କରିବାକୁ ମଧ୍ୟ ପଡ଼ିଥାଏ । ଏହା ଜମାନତ ରାଶି ଭାବରେ ଗ୍ରହଣ କରାଯାଏ । ନିର୍ବାଚନରେ ହାରିଗଲେ କିମ୍ବା ମୋଟ ଭୋଟର ୧/୬ ଭାଗ ଭୋଟ୍ ନ ପାଇଲେ ଏହି ରାଶି ଫେରସ୍ତ ହୋଇଯାଏ ।
ଉପରାଷ୍ଟ୍ରପତି ନିର୍ବାଚନ: ଭୋଟିଂ ପ୍ରକ୍ରିୟା
-ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭାଗ ନିଅନ୍ତି । ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରେ ୧୨ ଜଣ ମନୋନୀତ ସାଂସଦ ମଧ୍ୟ ଏଥିରେ ସାମିଲ ହୁଅନ୍ତି ।
-ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ହୋଇଥାଏ । ଏଥିରେ ଭୋଟିଂ ଏକ ବିଶେଷ ପ୍ରଣାଳୀରେ ହୁଏ, ଯାହାକୁ ଏକକ ସଂକ୍ରମଣୀୟ ଭୋଟ୍ ପ୍ରଣାଳୀ କୁହାଯାଏ ।
-ଭୋଟିଂ ସମୟରେ ଭୋଟରଙ୍କୁ ଗୋଟିଏ ହିଁ ଭୋଟ୍ ଦେବାକୁ ପଡ଼େ, କିନ୍ତୁ ତାଙ୍କୁ ନିଜ ପସନ୍ଦ ଆଧାରରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରାଥମିକତା ସ୍ଥିର କରିବାକୁ ହୋଇଥାଏ । ବାଲାଟ୍ ପେପରରେ ଭୋଟରଙ୍କୁ ନିଜର ପ୍ରଥମ ପସନ୍ଦକୁ ୧, ଦ୍ୱିତୀୟ ପସନ୍ଦକୁ ୨ ଏବଂ ସେହି କ୍ରମରେ ପ୍ରାଥମିକତା ସ୍ଥିର କରିବାକୁ ପଡ଼େ ।