ଶପଥ ନେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଧନଖଡ଼ ହିନ୍ଦୀ ଭାଷାରେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନ୍‌ସାରୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ଧନଖଡ଼ଙ୍କ ଶପଥ ଗ୍ରହଣ ଉତ୍ସବରେ ଟିଏମ୍‌ସି ଯୋଗ ଦେଇନି। ଶପଥ ନେବା ପୂର୍ବରୁ ଧନଖଡ଼ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ରାଜସ୍ଥାନର ବରିଷ୍ଠ ରାଜନେତା ଧନଖଡ଼ ଚଳିତମାସ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଧନଖଡ଼ଙ୍କୁ ୫୨୮ ଭୋଟ୍‌ ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ମାର୍ଗାରେଟ ଆଲ୍‌ଭାଙ୍କୁ ମାତ୍ର ୧୮୨ ଟି ଭୋଟ୍‌ ମିଳିଥିଲା। କୃଷକ ପରିବାରରେ ଜନ୍ମିତ ଧନଖଡ଼ ରାଜସ୍ଥାନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ଓକିଲାତି କରିଛନ୍ତି। ଏହାପରେ ରାଜନୀତିରେ ଯୋଗଦେଇ ସେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭଳି ପଦରେ ଅବସ୍ଥାପିତ ହୋଇଥିଲେ। ଭୈରୋଁ ସିଂହ ଶେଖାୱତଙ୍କ ପରେ ସେ ରାଜସ୍ଥାନରୁ ଦ୍ବିତୀୟ ଉପରାଷ୍ଟ୍ରପତି।

ସମ୍ବନ୍ଧିତ ଖବର