କରୁଣାନିଧି ଗୁରୁତର : ହସ୍ପିଟାଲ୍‌ରେ ଉପରାଷ୍ଟ୍ରପତି ଭେଟିଲେ

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ଅବସ୍ଥା ଆଜି ଗୁରୁତର ହୋଇପଡ଼ିଛି। ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। କେତେବେଳେ କ’ଣ ହେବ ସେ ନେଇ ଡାକ୍ତରମାନେ କିଛି କହିପାରୁ ନାହାନ୍ତି। ତେଣୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସମର୍ଥକଙ୍କ ସୁଅ ଛୁଟିବାରେ ଲାଗିଛି। ହସ୍ପିଟାଲରେ ଏତେ ଗହଳି ହୋଇଯାଇଥିଲା ଯେ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଛି।

ନିକଟରେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରୁ କରୁଣାନିଧିଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରକ୍ତଚାପ ସ୍ତର ଠିକ୍‌ ନ ଥିବାବେଳେ ମୂତ୍ର ସଂକ୍ରମଣ ସମସ୍ୟାରୁ ଜ୍ୱରରେ ସେ ପୀଡ଼ିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ରବିବାର ସକାଳେ ପରିବାର ସଦସ୍ୟମାନେ ସୂଚନା ଦେଇଥିଲେ। କିନ୍ତୁ ସନ୍ଧ୍ୟାବେଳକୁ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଯାଇଥିଲା।

ଉଲ୍ଲେଖଯୋଗ୍ୟ, ୯୫ ବର୍ଷୀୟ ଡିଏମ୍‌କେ ସୁପ୍ରିମୋ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରଠାରୁ ତାଙ୍କର ଏକ ଫଟୋ ପ୍ରଥମ ଥର ପାଇଁ ଡିଏମ୍‌କେ ପକ୍ଷରୁ ଆଜି ପୋଷ୍ଟ କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ଲାଗି ଆଜି କାବେରୀ ହସ୍ପିଟାଲ୍‌ ଯାଇଥିଲେ। କିନ୍ତୁ କରୁଣାନିଧି ସେତେବେଳେ ଶୋଇଥିଲେ। ଏହାପରେ ପରିବାର ସଦସ୍ୟ ଓ ଡାକ୍ତରଙ୍କ ସହ କଥା ହୋଇ ଉପରାଷ୍ଟ୍ରପତି ଫେରିଯାଇଥିଲେ। ପରିବାର ସଦସ୍ୟଙ୍କ ସୂଚନା ମୁତାବକ ଶନିବାର ତାଙ୍କର ରକ୍ତଚାପ ସ୍ଥିର ରହିଥିଲା। ତେଣୁ ଏହାକୁ ନେଇ ଚିନ୍ତା କମିଥିଲା। ତେବେ ଡାକ୍ତରମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଆଜି ସନ୍ଧ୍ୟା ପରଠାରୁ କରୁଣାନିଧିଙ୍କ ଅବସ୍ଥା ସଂକଟାପନ୍ନ ଆଡ଼କୁ ଗତି କରିଥିଲା।

ସୂଚନାଯୋଗ୍ୟ, ବୟସାଧିକ୍ୟ କାରଣରୁ କରୁଣାନିଧିଙ୍କୁ ଗତ ବର୍ଷେ ହେବ କୌଣସି ସାଧାରଣ ସଭାରେ ଦେଖିବାକୁ ମିଳିନାହିଁ। କେବଳ ନିଜ ବାସଭବନରେ ଥାଇ ସେ ସମର୍ଥକମାନଙ୍କୁ ହାତ ହଲାଇ କିଛି ଶବ୍ଦ କହୁଥିଲେ।

କ୍ୱଚିତ୍‌ ପାର୍ଟି ଅଫିସ୍‌ ଯାଇ ଦଳୀୟ ନେତାମାନଙ୍କୁ ସାକ୍ଷାତ କରୁଥିଲେ। ତେବେ ତାଙ୍କଠାରେ ଖଞ୍ଜାଯାଇଥିବା ଟ୍ରାଚିଓଷ୍ଟୋମି ଟ୍ୟୁବ୍‌କୁ ବଦଳାଇବା ପାଇଁ ତାଙ୍କୁ ଜୁଲାଇ ୧୮ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହାପରେ ଘରକୁ ଫେରିବା ପରେ ମୂତ୍ର ସଂକ୍ରମଣ ଯୋଗୁ ସେ ଜ୍ୱରରେ ପୀଡ଼ିତ ହୋଇଥିଲେ।

ରବିବାର ସକାଳେ ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓ’ ବ୍ରେନ୍‌ କରୁଣାନିଧିଙ୍କ ପୁଅ ଏମ୍‌ କେ ଷ୍ଟାଲିନ୍‌ ଓ ଝିଅ ତଥା ସାଂସଦ କାନିମୋଝିଙ୍କୁ ଭେଟି ଡିଏମ୍‌କେ ମୁଖ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତେବେ ଗୁରୁବାର ସନ୍ଧ୍ୟାଠାରୁ ସବୁ ଦଳର ନେତାମାନେ ତାଙ୍କ ବାସଭବନଠାରୁ ଆରମ୍ଭ କରି ହସ୍ପିଟାଲ୍‌ ପର୍ଯ୍ୟନ୍ତ ଯାଉଥିବା ଦେଖିବାକୁ ମିଳିଛି। ତାମିଲନାଡୁ ଶାସକ ଦଳ ନେତା ଓ ପନିରସେଲ୍‌ଭମ୍‌ ଏବଂ ଡି ଜୟକୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜି କେ ଭାସନ୍‌ ଏବଂ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ମଧ୍ୟ କରୁଣାନିଧିଙ୍କୁ ଦେଖିବାକୁ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର