ରାହୁଲଙ୍କୁ ଉପରାଷ୍ଟ୍ରପତିଙ୍କ ତେରଛା ବାଣ: ଗଣତନ୍ତ୍ରରେ କେହି ବି ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି

ନୂଆଦିଲ୍ଲୀ,: ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୀବ୍ର ସମାଲୋଚନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉପରାଷ୍ଟ୍ରପତି ରାହୁଲ ଗାନ୍ଧିଙ୍କ ନାମ ନନେଇ ତେରଛା ବାଣ ମାରିଛନ୍ତି। ସଂସଦର ବଜେଟ ଅଧିବେଶନରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ତାହା ଉପରେ ଉପରାଷ୍ଟ୍ରପତି କହିଛନ୍ତି ଲୋକଙ୍କ ବୌଦ୍ଧିକତାକୁ କେବେ ବି ନ୍ୟୁନ କରି ଦେଖିବା ଉଚିତ ନୁହେଁ। ଯାହା କିଛି ଘଟୁଛି ଲୋକମାନେ ସେସବୁକୁ ବୁଝୁଛନ୍ତି। ନ୍ୟୁଜ୍ ୧୮ ରାଇଜିଂ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଉପରାଷ୍ଟ୍ରପତି ଯୋଗଦେଇ କହିଛନ୍ତି ଭାରତ ପ୍ରଗତି ପଥରେ ଅଗ୍ରସର ହେଉଛି। ଦ୍ରୁତବେଗରେ ଆଗକୁ ବଢ଼ୁଛି। ଏହାକୁ କେହି ରୋକିପାରିବେ ନାହିଁ।

ବିଶ୍ବ ଆଜି ଭାରତ ଉଦୟର ପ୍ରମାଣ ଦେଉଛି। ଦେଶହିତଠାରୁ ବଡ଼ କିଛି ହୋଇ ନପାରେ। ବିଶ୍ବରେ ଭାରତର ସମ୍ମାନ ବଢ଼ିଛି। ଭାରତର ଗଣତନ୍ତ୍ର ଉପରେ ‌ଅନ୍ୟ କୌଣସି ଦେଶ ପ୍ରଶ୍ନ ଉଠାଇ ପାରିବ ନାହିଁ। ଗଣତନ୍ତ୍ରରେ ଭାରତ ଯେଭଳି ସଂଶ୍ଳିଷ୍ଟ ହୋଇ ରହିଛି ବିଶ୍ବର ଅନ୍ୟ କୌଣସି ଦେଶରେ ତାହା ‌ଦେଖିବାକୁ ମିଳେନାହିଁ। କିଛି ଲୋକ ଭାରତର ଛବିକୁ ଖରାପ କରିବା ପାଇଁ କୁଟିଳ ଅଭିଯାନ ଚଳାଇଛନ୍ତି। ଏଭଳି କାମରେ ଲାଗିଥିବା ବ୍ୟକ୍ତିମାନେ ‌ନିଜକୁ ଦେଖିବା ଉଚିତ। ଏପରି ମନଗଢ଼ା ଏବଂ ଭୟାବହ ଅଭିଯାନକୁ ଗଣମାଧ୍ୟମ ପ୍ରହାର କରିବା ଆବଶ୍ୟକ। ଭ୍ରଷ୍ଟାଚାର ପ୍ରସଙ୍ଗକୁ ରାଜନୈତିକ ଚଷମାରେ କିଭଳି ଦେଖାଯାଇ ପାରିବ। ଲୋକତନ୍ତ୍ରରେ କେହି ବି ଆଇନରୁ ଉପରେ ନାହାନ୍ତି କିମ୍ବା ଆଇନ ସେମାନଙ୍କ ନିକଟରେ ପହଞ୍ଚି ପାରିବ ନାହିଁ ବୋଲି ଦାବି କରିପାରିବେ ନାହିଁ। ଦେଶରେ ଏକ ପ୍ରଭାବୀ ସରକାର ରହିଛି। ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକର ମୂଳଦୁଆ ମଝବୁତ ଏବଂ ସ୍ବତନ୍ତ୍ର। ଆମର ନ୍ୟାୟ ବ୍ୟବସ୍ଥା ମଧ୍ୟ ଆମର ଗର୍ବ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର