‘ବିଚାରପତି ନିଯୁକ୍ତି’ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉପରେ ଅସନ୍ତୋଷ ଝାଡ଼ିଲେ ଉପରାଷ୍ଟ୍ରପତି ଧନଖଡ୍

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ‘ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଆଇନ’କୁ ପ୍ରତ୍ୟାଖ୍ୟାନ କରିବା ପରେ ସଂସଦରେ ଏ ନେଇ କୌଣସି ପ୍ରକାରର ସ୍ୱରଶବ୍ଦ ଶୁଣିବାକୁ ମିଳିନାହିଁ। ସଂସଦରେ ଏ ପ୍ରସଙ୍ଗରେ କୌଣସି ଚର୍ଚ୍ଚା ନ ହେବା ଏକ ଗମ୍ଭୀର ବ୍ୟାପାର ବୋଲି କହିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍।

ଶୁକ୍ରବାର ଦିନ ଏକ ସଭାରେ ଯୋଗ ଦେଇ ସେ  କହିଛନ୍ତି ଯେ  ସଂସଦ ଦ୍ୱାରା ଗୃହୀତ ଏକ ଆଇନ, ଯାହା ଲୋକଙ୍କ ଇଚ୍ଛାକୁ ପ୍ରତିଫଳିତ କରିଥାଏ, ତାକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିବା ଗୁରୁତର ଘଟଣା। ସମଗ୍ର ବିଶ୍ୱରେ ହୁଏତ ଏପରି କୌଣସି ଉଦାହରଣ ନାହିଁ।

ସମ୍ବିଧାନର ବ୍ୟବସ୍ଥାକୁ ଦର୍ଶାଇ ସେ କହିଛନ୍ତି ଯେ ଯେତେବେଳେ ଆଇନର ପ୍ରାବଧାନରେ କୌଣସି ମହତ୍ତ୍ୱପୂର୍ଣ୍ଣ ନ୍ୟାୟିକ ପ୍ରଶ୍ନ ଜଡିତ ଥାଏ ସେତେବେଳେ ଏହି ପ୍ରସଙ୍ଗକୁ ଅଦାଲତ ଅନୁଧ୍ୟାନ କରିପାରିବେ। କାରଣ, ସମ୍ବିଧାନ ଅନୁସାରେ ସଂସଦ ଜନସାଧାରଣଙ୍କ ଇଚ୍ଛାକୁ ପ୍ରତିଫଳିତ କରିଥାଏ। ସଂସଦ ଦ୍ବାରା ପାରିତ ଆଇନକୁ ରଦ୍ଦ କରିବା ଦ୍ବାରା ଲୋକଙ୍କ ମତ ପ୍ରତିଫଳିତ କରୁଥିବା ଅନୁଷ୍ଠାନର କ୍ଷମତାକୁ କ୍ଷୁର୍ଣ୍ଣ କରାଗଲା।

ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ଉପସ୍ଥିତିରେ ଏଠାରେ ଏଲଏମ ସିଂଭି ମେମୋରିଆଲ ଲେକ୍ଚର ପ୍ରଦାନ କରି ଧନଖଡ୍ ଦର୍ଶାଇଛନ୍ତି ଯେ ସମ୍ବିଧାନର ମୁଖବନ୍ଧରେ  ଉଇ ଦ ପିପୁଲ ଅର୍ଥାତ “ଆମେ ଭାରତର ଲୋକ” ଉଲ୍ଲେଖ ଅଛି  । ଏହାର ଅର୍ଥ ହେଉଛି ସାର୍ବଭୌମ କ୍ଷମତା ବା ଶକ୍ତି ଲୋକଙ୍କ ଠାରେ, ସେମାନଙ୍କର ଆଦେଶରେ ଏବଂ ବିବେକ ମଧ୍ୟରେ ନିହିତ ରହିଛି। ଏହି କ୍ଷମତା ସଂକୁଚିତ ହେବା କେତେ ଦୂର ଠିକ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର