ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ବିରୋଧୀ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି।  ଏନ୍‌ଡିଏ  ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌ଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଖଡ଼ଗେ କହିଛନ୍ତି, ଇଣ୍ଡି ମେଣ୍ଟର ସମସ୍ତ ଦଳ  ଜଣେ ମିଳିତ ପ୍ରାର୍ଥୀ ଦେବାପାଇଁ ନିଷ୍ପତ୍ତି ନେଲେ ଏବଂ ଏହି ନିଷ୍ପତ୍ତି ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ‘ସମସ୍ତ ବିରୋଧୀ ଦଳ ଗୋଟିଏ ନାଁରେ ରାଜି ହୋଇଥିବାରୁ ମୁଁ ଖୁବ୍‌ ଖୁସି। ଗଣତନ୍ତ୍ର ପାଇଁ ଏହା ବହୁତ ବଡ଼ ସଫଳତା ବୋଲି’ ସେ କହିଛନ୍ତି।
Advertisment
ରେଡ୍ଡୀ ହେଉଛନ୍ତି ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଏବଂ ସେ ଗୋଆର ପ୍ରଥମ ଲୋକାୟୁକ୍ତ।  ୧୯୪୬ରେ ଜୁଲାଇରେ ଜନ୍ମିତ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀ ୧୯୭୧ ଡିସେମ୍ବର ୨୭ ତାରିଖରେ 
ଆନ୍ଧ୍ରପ୍ରଦେଶ ବାର୍‌ କାଉନସିଲ୍‌ରେ ଆଇନଜୀବୀ ଭାବେ  ତାଙ୍କ  କ୍ୟାରିୟର ଆରମ୍ଭ କରିଥିଲେ।  ସେ ୧୯୮୮ ରୁ ୧୯୯୦ ମଧ୍ୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୯୦ ମସିହାରେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆଇନ ପରାମର୍ଶଦାତା ତଥା ସ୍ଥାୟୀ ପରାମର୍ଶଦାତା ମଧ୍ୟ ଥିଲେ। ୧୯୯୫ ମେ’ ୨ ତାରିଖରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥ‌ାୟୀ ବିଚାରପତି ନିଯୁକ୍ତ ହେଲେ ଏବଂ ୨୦୦୫ ଡିସେମ୍ବର ୫ ତାରିଖରେ ସେ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ।  ୨୦୦୭ ଜାନୁଆରି ୧୨ ତାରିଖରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ ଏବଂ ୨୦୧୧ ଜୁଲାଇ ୮ ତାରିଖରେ ତାଙ୍କ ଅବସର ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ।  ୨୦୧୨ ମାର୍ଚ୍ଚରେ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀ ଗୋଆ ଲୋକାୟୁକ୍ତ ଭାବେ ଦାୟିତ୍ବ ନେଇଥିଲେ। କିନ୍ତୁ ମାତ୍ର ୭ ମାସ ମଧ୍ୟରେ ସେ ‌ବ୍ୟକ୍ତିଗତ କାରଣ ଦର୍ଶା‌ଇ ଏହି ପଦବି ଛାଡ଼ି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସୁଦର୍ଶନ ରେଡ୍ଡୀ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ୬୭ ବର୍ଷୀୟ ଭିପି ରାଧାକ୍ରିଷ୍ଣନ୍‌ଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ସିପି ରାଧାକ୍ରିଷ୍ଣନ୍‌ ଜଣେ ପ୍ରମୁଖ ବି‌ଜେପି ନେତା। ଏବେ ସେ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି । ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ।  ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆବଶ୍ୟକ ପଡ଼ିଲା।