ନୂଆଦିଲ୍ଲୀ : ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା, ଜେଡି(ୟୁ) ନେତା ଲଳନ ସିଂହ ଏବଂ ବିଜେଡିର ପିନାକୀ ମିଶ୍ରଙ୍କ ଉପସ୍ଥିତିରେ ଧନଖଡ଼ ଆଜି ସଂସଦ ପାଠାଗାର ଭବନରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ଧନଖଡ଼ କହିଛନ୍ତି, ସ୍ବପ୍ନରେ ସୁଦ୍ଧା ଭାବିନଥିଲି ଯେ ମୋ ଭଳି ଜଣେ ସାଧାରଣ ଲୋକଙ୍କୁ ଏଭଳି ସୁଯୋଗ ମିଳିବ। ଜଣେ କୃଷକଙ୍କ ପୁଅକୁ ଏଭଳି ସୁଯୋଗ ମିଳିବା ଐତିହାସିକ ।

Advertisment

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ଧନଖଡ଼ କହିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଧନଖଡ଼ ତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରୁଥିବା ବିଭିନ୍ନ ଦଳର ସାଂସଦମାନଙ୍କ ସହ ଏକ ‌‌ବୈଠକ କରିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଧନଖଡ଼ ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଶଂସା କରିଥିଲେ। ମୋଦୀ ଧନଖଡ଼ଙ୍କ ଉପରେ ଦୃଢ଼ ବିଶ୍ବାସ ରଖିବା ସହ କହିଥିଲେ ଉପରାଷ୍ଟ୍ରପତି ଭ‌ାବେ ଧନଖଡ଼ଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଉତ୍କୃଷ୍ଟ ଏବଂ ପ୍ରେରଣାଦାୟକ ହେବ। ଉଲ୍ଲେଖ‌ଯୋଗ୍ୟ ଯେ ଧନଖଡ଼ଙ୍କ ବିରୋଧରେ ମିଳିତ ବିରୋଧୀ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି। ଆସନ୍ତାକାଲି ସେ ପ୍ରାର୍ଥିପତ୍ର ଦାଖଲ କରିବେ। ଉପରାଷ୍ଟ୍ରପତି ପାଇଁ ଅଗଷ୍ଟ ୬ରେ ନିର୍ବାଚନ ହେବ। ଅଗଷ୍ଟ ୧୦ରେ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।