ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଯଥାଶୀଘ୍ର ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ନିର୍ବାଚନ ହେବ। ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି। ଏହି ପଦପାଇଁ ନିର୍ବାଚିତ ବ୍ୟକ୍ତି ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ପୂରା ୫ ବର୍ଷ ପର୍ଯ୍ୟନ୍ତ ପଦରେ ରହିବେ।
ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୃତ୍ୟୁ ହେଲେ କିମ୍ବା ଇସ୍ତଫା ଦେଲେ କିମ୍ବା ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବେ କାର୍ଯ୍ୟ କଲେ ଉପରାଷ୍ଟ୍ରପତି ଦାୟିତ୍ୱ କିଏ ତୁଲାଇବେ ସେ ନେଇ ସମ୍ବିଧାନ ନିରବ ରହିଛି। ଉପରାଷ୍ଟ୍ରପତି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ। ଯଦିଓ କାର୍ଯ୍ୟକାଳ ୫ ବର୍ଷ, ତଥାପି ଜଣେ ଉତ୍ତରାଧିକାରୀ ଦାୟିତ୍ୱ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପରେ ପଦରେ ରହିପାରିବେ। ସମ୍ବିଧାନ ଅନୁଯାୟୀ ଉପରାଷ୍ଟ୍ରପତି ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଦାୟିତ୍ବ ତୁଲାଇଥାନ୍ତି। ତେଣୁ ଇସ୍ତଫା ଆଦି କାରଣରୁ ଏହି ପଦ ଖାଲି ପଡ଼ିଲେ ରାଜ୍ୟସଭାର ଉପାଧ୍ୟକ୍ଷ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନ୍ୟ କୌଣସି ରାଜ୍ୟସଭା ସଦସ୍ୟ ସେହି ଦାୟିତ୍ବ ତୁଲାଇଥାନ୍ତି। ରାଷ୍ଟ୍ରପତିଙ୍କ ନିକଟରେ ଉପରାଷ୍ଟ୍ରପତି ଇସ୍ତଫାପତ୍ର ଦାଖଲ କରି ପଦ ତ୍ୟାଗ କରିପାରିବେ। ଏହି ଇସ୍ତଫା ଗ୍ରହଣ ହେବା ଦିନଠାରୁ କାର୍ଯ୍ୟକାରୀ ହୋଇଥାଏ।
ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତି ଅନ୍ୟ କୌଣସି ଲାଭଜନକ ପଦରେ ରହି ନ ଥାନ୍ତି। ଯେତେବେଳେ ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ପାଦନ କରନ୍ତି, ସେହି ସମୟରେ ସେ ରାଜ୍ୟସଭା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି ନାହିଁ ଏବଂ ସେହି ଭୂମିକା ପାଇଁ ସାଧାରଣତଃ କୌଣସି ଦରମା କିମ୍ବା ଭତ୍ତା ପାଇ ନ ଥାନ୍ତି। ସମ୍ବିଧାନର ଧାରା ୬୬ ଅନୁଯାୟୀ ଉପରାଷ୍ଟ୍ରପତିଙ୍କୁ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଗଠିତ ଏକ ଇଲେକ୍ଟୋରାଲ କଲେଜ ଦ୍ୱାରା ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ କରାଯାଏ। ଏହି ପଦ ପାଇଁ ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ, ଅତି କମ୍ରେ ୩୫ ବର୍ଷ ବୟସ୍କ ଏବଂ ରାଜ୍ୟସଭାର ସଦସ୍ୟ ହେବା ଆବଶ୍ୟକ। ଭାରତ ସରକାର, କୌଣସି ରାଜ୍ୟ ସରକାର କିମ୍ବା କୌଣସି ସ୍ଥାନୀୟ କିମ୍ବା ଅଧସ୍ତନ କର୍ତ୍ତୃପକ୍ଷଙ୍କ ଅଧୀନରେ ଲାଭକାରୀ ପଦବୀରେ ଥିବା ବ୍ୟକ୍ତିମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି।
ଯଥାଶୀଘ୍ର ହେବ ଉପରାଷ୍ଟ୍ରପତି ନିର୍ବାଚନ
ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଯଥାଶୀଘ୍ର ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ନିର୍ବାଚନ ହେବ। ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି...
/sambad/media/media_files/2025/07/23/hsfgdsahj-2025-07-23-07-33-39.jpg)