ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ନୂଆ ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ଏନ୍ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ପୂର୍ବାହ୍ଣ ୧୦ଟାରେ ଭୋଟଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିବ। ସନ୍ଧ୍ୟା ୬ଟାରେ ଭୋଟ ଗଣତି ହେବ। ବିଜୟୀ ପ୍ରାର୍ଥୀ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେବେ। ସେ ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସାଂସଦମାନେ ଗୋପନ ବାଲଟ୍ ଜରିଆରେ ଭୋଟ ଦେବେ। ଇଚ୍ଛା ଅନୁଯାୟୀ ଭୋଟ ଦେବାର ସ୍ବାଧୀନତା ସାଂସଦମାନଙ୍କର ରହିଥିଲେ ମଧ୍ୟ ସେମାନେ ସାଧାରଣତଃ ଦଳୀୟ ଆଧାରରେ ମତଦାନ କରିଥାନ୍ତି। ଗୋପନ ବାଲଟ୍ ଜରିଆ ଭୋଟ ହେଉଥିବାରୁ କ୍ରସ ଭୋଟିଂ ଆଶଙ୍କା ବି ରହିଛି।
ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନ ଇଲେକ୍ଟ୍ରୋରାଲ କଲେଜରେ ମୋଟ ୭୮୦ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ରାଜ୍ୟସଭାର ୨୩୮ ହୋଇଥିବାବେଳେ ଲୋକସଭାର ୫୪୨ ସଦସ୍ୟ ରହିଛନ୍ତି। ଲୋକସଭାର ଗୋଟିଏ ଏବଂ ରାଜ୍ୟସଭାର ୬ଟି ଆସନ ଏବେ ଖାଲି ପଡ଼ିଛି। ତେଣୁ ଜିତିବା ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି ୩୯୧। କିନ୍ତୁ ବିଜେଡି(୭) ଓ ବିଆର୍ଏସ୍(୪)ଭୋଟଦାନରୁ ବିରତ ରହିବେ ବୋଲି ଘୋଷଣା କରିସାରିଥିବାରୁ ମ୍ୟାଜିକ୍ ସଂଖ୍ୟା ଆହୁରି ତଳକୁ ଖସିଯିବ। ଏନ୍ଡିଏର ୪୨୫ ସଦସ୍ୟ ରହିଛନ୍ତି। ଏଥିସହିତ ୱାଇଏସ୍ଆର୍ କଂଗ୍ରେସର ୧୧ ସାଂସଦଙ୍କ ସମର୍ଥନ ଏନ୍ଡିଏକୁ ମିଳିବ। ତେଣୁ ଏହାର ମୋଟ ସଂଖ୍ୟା ୪୩୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ବିରୋଧୀ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ୩୨୪ ସାଂସଦଙ୍କ ସମର୍ଥନ ରହିଛି। ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ଜିତିବା ପ୍ରାୟତଃ ନିଶ୍ଚିତ ହୋଇଥିଲେ ମଧ୍ୟ ବିଜୟ ବ୍ୟବଧାନ ଉପରେ ନଜର ରହିଛି। ୨୦୨୨ ନିର୍ବାଚନରେ ମାର୍ଗାରେଟ୍ ଆଲଭାଙ୍କୁ ଜଗଦୀପ ଧନଖଡ଼ ୩୪୬ ଭୋଟ ବ୍ୟବଧାନରେ ହରାଇଥିଲେ। କିନ୍ତୁ ଚଳିତଥର ବିଜୟ ବ୍ୟବଧାନ ୧୦୦ରୁ ୧୨୫ ମଧ୍ୟରେ ରହିବ ବୋଲି ରାଜନୀତି ବିଶ୍ଳେଷକମାନେ ଅନୁମାନ କରୁଛନ୍ତି। ନିଜ ପ୍ରାର୍ଥୀଙ୍କ ସପକ୍ଷରେ କିଭଳି ଅଧିକରୁ ଅଧିକ ଭୋଟ ପଡ଼ିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଲାଗି ପଡ଼ିଛନ୍ତି।
ନିର୍ବାଚନ ସମୟରେ ଏନ୍ଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମମୋହନ ନାଇଡ଼ୁଙ୍କୁ ପୋଲିଂ ଏଜେଣ୍ଟ ରହିବେ। ସେହିଭଳି ବିରୋଧୀଙ୍କ ପକ୍ଷରୁ ନାସିର ହୁସେନ, ମାଣିକମ ଟାଗୋର ଏବଂ ଶକ୍ତିସିଂହ ଗୋହିଲଙ୍କୁ ପୋଲିଂ ଏଜେଣ୍ଟେ ଭାବେ କାର୍ଯ୍ୟ କରିବେ। ସବୁ ଭୋଟ ଯେଭଳି ବୈଧ ରହିବ ସେଥିପାଇଁ ଉଭୟ ପକ୍ଷରୁ ସାଂସଦମାନଙ୍କୁ ତାଲିମ ଓ ମକ୍ ପୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଜେଡି ଏବଂ ତେଲେଙ୍ଗାନାର ବିଆର୍ଏସ୍ ଭୋଟଦାନରୁ ବିରତ ରହିବେ ବୋଲି ଘୋଷଣା କରିସାରିଛନ୍ତି। ଆପ୍ ସାଂସଦ ସ୍ବାତୀ ମାଲିୱାଲଙ୍କର ସଂପର୍କ ଦଳ ସହିତ ବର୍ତ୍ତମାନ ଭଲ ନାହିଁ। ତେଣୁ ତାଙ୍କ ଭୋଟ ଉପରେ ନଜର ରହିଛି। ଲୋକସଭାରେ ୭ ଜଣ ସ୍ବାଧୀନ ସାଂସଦ ମଧ୍ୟ ରହିଛନ୍ତି। ସେମାନେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ଗଣିତରେ କିଛିଟା ଏପଟସେପଟ ହୋଇପାରେ।