ନୂଆଦିଲ୍ଲୀ : ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି (ଶନିବାର) ଭୋଟ୍ ଗ୍ରହଣ ହେବ। ସଂସଦର ସଦସ୍ୟମାନେ ଭୋଟ୍ଦେଇ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ଆଜି ହିଁ ଏହି ନିର୍ବାଚନର ଫଳାଫଳ ଘୋଷଣା ହେବ। ଏନ୍ଡିଏ ପ୍ରାର୍ଥୀ ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ମନୋନୀତ ସଦସ୍ୟଙ୍କ ସହ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ଦେବେ। ଏହାପରେ ତୁରନ୍ତ ବାଲଟ୍ ଗଣତି ହେବ। ଏଥର ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କ ସଂଖ୍ୟା ୭୮୮ ରହିଛି। ଏଥିମଧ୍ୟରୁ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟ ଥିବାବେଳେ ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ ଅଛନ୍ତି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ନିର୍ବାଚନ ଅଧିକାରୀ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିବେ।
ନିର୍ବାଚନେର ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ସହଜରେ ବିଜୟ ହାସଲ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି। ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିରୋଧୀ ମେଣ୍ଟ ଏକଜୁଟ ରହିବାରେ ବିଫଳ ହୋଇଥିବାରୁ ଏହା ଶାସକ ମେଣ୍ଟକୁ ବେଶ୍ ସୁହାଉଛି। ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସ (ଟିଏମ୍ସି) ଭୋଟ୍ରୁ ଦୂରେଇ ରହିବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ତେବେ, ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବ। ପ୍ରାର୍ଥୀ ଘୋଷଣା ପରେ ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇ ସାରିଛନ୍ତି। ଧନଖଡ଼ଙ୍କ ପ୍ରତିଦ୍ବନ୍ଦ୍ବୀ ଆଲ୍ଭା ହେଉଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତ୍ରୀ। ସେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ।
ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି।