ଉପରାଷ୍ଟ୍ରପତି ନିର୍ବାଚନ: କାହାକୁ ସମର୍ଥନ କରିବ ବିଜେଡି?

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ପଦ ପାଇଁ ବିଜେଡି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ।

The Tribune India

ଏବେ ଲୋକସଭାରେ ବିଜେଡିର ୧୨ ଜଣ ଏବଂ ରାଜ୍ୟସଭାରେ ୯ ଜଣ ସାଂସଦ ରହିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ଏଥର ଏନ୍‌ଡିଏର ପଲା ଭାରି ରହିଛି। ୨୦୧୭ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିଥିଲା। ମିଳିଥିବା ସୂଚନା ଅନୁସାରେ ଏନ୍‌ଡିଏ ପକ୍ଷରୁ ଏଥର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଘୋଷଣା ଜୁଲାଇ ଦ୍ବିତୀୟ ସପ୍ତାହରେ କରାଯିବ। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡୁଙ୍କ ବଦଳରେ ବିଜେପି ନୂଆ ପ୍ରାର୍ଥୀ ଦେବା ସମ୍ଭାବନା ରହିଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ବ ଭାରତରୁ ‌ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ କରିଥିବାରୁ ଉପରାଷ୍ଟ୍ରପତି ପାଇଁ ପଶ୍ଚିମ ଭାରତରୁ କାହାକୁ ପ୍ରାର୍ଥୀ କରିବା ପାଇଁ ବିଜେପି ବିଚାର କରିପାରେ। ଉପରାଷ୍ଟ୍ରପତି ପଦ ପାଇଁ ମିଳିତ ବି‌ରୋଧୀ ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା ସମ୍ଭାବନା ରହିଛି।

ଗତ ୫ ବର୍ଷ‌ରେ ରାଜ୍ୟସଭାରେ ବିରୋଧୀ ଦଳର ସାଂସଦମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି। ୨୦୧୯ ସାଧାରଣ ନିର୍ବାଚନରେ ବି‌ରୋଧୀ ଦଳମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବାବେଳେ ଏନ୍‌ଡିଏର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଥିଲା। ୨୦୧୭ ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ୨୪୪ ଟି ଭୋଟ ମିଳିଥିବାବେଳେ ଏନଡିଏ ପ୍ରାର୍ଥୀ ଏମ୍‌ ଭେଙ୍କିୟା ନାଇଡୁଙ୍କୁ ୫୧୬ ଭୋଟ ମିଳିଥିଲା। ବିରୋଧୀ ଦଳଙ୍କ ଜଣେ ନେତାଙ୍କ କହିବା ଅନୁସାରେ ବିଜେଡି ସମେତ ସମସ୍ତ ବିରୋଧୀ ଦଳ ସହିତ ଚର୍ଚ୍ଚା କରାଯାଇ ଅଧିକର ଅଧିକରୁ ଅଧିକ ଭୋଟ ହାସଲ ପାଇଁ ପ୍ରୟାସ କରାଯିବ। ୨୦୧୭ ଉପରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀକୁ ବିଜେଡି ସମର୍ଥନ କରିଥିବା ବେଳେ ବଦଳୁଥିବା ରାଜନୈତିକ ଦୃଷ୍ଟିରୁ ଏଥର ବିଜେଡିର କ’ଣ ଆଭିମୁଖ୍ୟ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର