ନୂଆଦିଲ୍ଲୀ: ବିରୋଧୀ ଦଳମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି କଡ଼ା କଟାକ୍ଷ କରିଛନ୍ତି। ‘ବାଇପାସ୍ ଅସ୍ତ୍ରୋପଚାର ପାଇଁ ପନିପରିବା କାଟିବା ଛୁରି ବ୍ୟବହାର କରନ୍ତୁ ନାହିଁ’ ବୋଲି ଧନଖଡ଼ ଆଜି ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ରଦ୍ଦ ହୋଇଛି। ଧନଖଡ଼ କହିଛନ୍ତି, ‘ସେମାନେ ଉପରାଷ୍ଟ୍ରପତିଙ୍କ ବିରୋଧରେ ଆଣିଥିବା ନୋଟିସ୍ ଦେଖନ୍ତୁ। ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚନ୍ଦ୍ର ଶେଖରଜୀ (ପୂର୍ବତନ ପ୍ରଧାନମନ୍ତ୍ରୀ) ଥରେ କହିଥିଲେ, ବାଇପାସ୍ ଅସ୍ତ୍ରୋପଚାର ପାଇଁ ପନିପରିବା କାଟିବା ଛୁରି କେବେ ବି ବ୍ୟବହାର କରନ୍ତୁ ନାହିଁ। ସେହି ଅନାସ୍ଥା ନୋଟିସ୍ ପନିପରିବା କାଟିବା ଛୁରି ମଧ୍ୟ ନଥିଲା... ଏହା କଳଙ୍କି ଲଗା ଛୁରିଥିଲା। ମୁଁ ଯେତେବେଳେ ଏହି ନୋଟିସ୍ ପଢିଲି, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।’ ଅଭିବ୍ୟକ୍ତିର ଅଧିକାର ସର୍ବାଧକ ଗୁରୁତ୍ବପୂର୍ଣ୍ଣ ଏବଂ ଏହା ଗଣତନ୍ତ୍ରର ସଂଜ୍ଞା ବୋଲି ଉପରାଷ୍ଟ୍ରପତି କହିବା ସହ ଅଭିବ୍ୟକ୍ତିକୁ ନେଇ ବୁଝାମଣା କିମ୍ବା ଜୋରଜବରଦସ୍ତ ଭିନ୍ନ ଉଦ୍ଦେଶ୍ୟରେ ଉପସ୍ଥାପନା କରାଗଲେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷତି ପହଞ୍ଚାଇବ ବୋଲି କହିଛନ୍ତି।
ସୋନିଆ ଗାନ୍ଧୀ-ଜର୍ଜ ସୋରୋସ୍ ପ୍ରସଙ୍ଗରେ ବିଜେପି ସାଂସଦମାନଙ୍କ ଆକ୍ରମଣର ଜବାବ ଦେବାକୁ ଧନଖଡ଼ ସୁଯୋଗ ଦେଇନଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଅନାସ୍ଥା ନୋଟିସ୍ ଦିଆଯାଇଥିଲା।
କଂଗ୍ରେସ ଧନଖଡ଼ଙ୍କୁ ରାଜ୍ୟସଭାରେ ସବୁଠାରୁ ବଡ଼ ବିଭ୍ରାଟକାରୀ ବୋଲି ଆଖ୍ୟା ଦେଇ ଅନାସ୍ଥା ପ୍ରସ୍ତାବ ଦାଖଲକୁ ସମର୍ଥନ କରିଥିଲା। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ଧନଖଡ଼ଙ୍କ କାର୍ଯ୍ୟ ସଂସଦର ମର୍ଯ୍ୟାଦାକୁ ଆଘାତ ଦେଇଛି। ତିନି ବର୍ଷ ଧରି ସେ ଆମକୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ସମୟ କିମ୍ବା ସ୍ଥାନ ଦେଇନାହାନ୍ତି ବୋଲି ଖଡ଼ଗେ ବୟାନ ଦେଇଥିବା ବେଳେ ଏନ୍ଡିଏ ସାଂସଦମାନେ ଏହାରକୁ ଜୋରଦାର ବିରୋଧ କରିଥିଲେ ଏବଂ ଏହା କଂଗ୍ରେସର ହତାଶାର ପରିଚାୟକ ବୋଲି କହିଥିଲେ। ବିଜେପି ଅଭିଯୋଗ କରିଛି ଯେ ସୋରୋସ୍ଙ୍କ ଦ୍ୱାରା ପ୍ରତିଷ୍ଠିତ ଓସିସିଆରପି ଭାରତକୁ ଟାର୍ଗେଟ କରି ରିପୋର୍ଟ ପ୍ରକାଶ କରେ ଏବଂ ଏହା ପରେ କଂଗ୍ରେସ ଦଳ ଏହାକୁ ଅସ୍ତ୍ର କରି ସରକାରକୁ ବଦନାମ କରିବା ପାଇଁ ବିଭ୍ରାନ୍ତି ସୃଷ୍ଟି କରିଥାଏ।।