ଶ୍ରୀନଗର: ଜମ୍ମୁ କାଶ୍ମୀରର ରିଏସି ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବା ପରେ ଏକ ତୀର୍ଥଯାତ୍ରୀ ବସ୍‌ ପାହାଡ଼ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।

Advertisment

ଏହି ଘଟଣାକୁ ନେଇ ପ୍ରତ୍ୟେକ୍ଷଦର୍ଶୀ ତଥା ଉକ୍ତ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଜର ଭୟାବହ ଅନୁଭୂତି ବଖାଣିଛନ୍ତି। ଏହି ବସରେ ଯାତ୍ରା କରୁ୍ଥିବା ଅତୁଲଙ୍କ ବାପା ରାଜେଶ ମିଶ୍ରା କହିଛନ୍ତି, ‘ଟେଲିଭିଜନ ମାଧ୍ୟରେ ଆତଙ୍କବାଦୀଙ୍କ ଏହି ଆକ୍ରମଣ ବିଷୟରେ ଖବର ମିଳିଥିଲା। ଏହି ଖବର ପାଇ ପୁଅ ସହିତ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରିଥିଲୁ କିନ୍ତୁ ‌କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ମନରେ ଅନେକ ଖରାପ ଚିନ୍ତା ଆସୁଥିଲା।

ରାତି ପାଖାପାଖି ୧୧ଟା ହେବ ହଠାତ ଫୋନ ବାଜି ଉଠିଥିଲା। ସେପଟୁ କି ଖବର ଥିବ ଭାବି ମୁଁ ସ୍ଥାଣୁ ପାଲଟି ଯାଇଥିଲି। ତଥାପି ଭଗବାନଙ୍କୁ ଡାକି ଫୋନ ଉଠାଇଥିଲି। ଏହି ଫୋନ କଲଟି  ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ପୁଅ ଅତୁଲ କରିଥିଲା। ଫୋନ ଉଠାଇବା ପରେ ସେପଟୁ ପୁଅ କାନ୍ଦିକାନ୍ଦି କହିଥିଲା, ‘ବାପା ଆମେ ଏକ ବିପଦରୁ ବଞ୍ଚି ଯାଇଛୁ। ତୁମେ ବ୍ୟସ୍ତ ହୁଅ ନାହିଁ। ମୋର ମୁଣ୍ଡରେ ଆଘାତ ଲାଗିବା ସହିତ ହାତ ଭାଙ୍ଗିଯାଇଛି। ଆଉ ତୁମ ବୋହୂ ବି ଗଭୀର ଭାବେ ଆହତ ହୋଇଛି।’

ବସ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ହେବା ଦେଖି ପୁଅ ଅତୁଲ ଉପସ୍ଥିତ ବୁଦ୍ଧି ଖଟାଇ ବୋହୂକୁ ଧରି ବସର ପଛ ସିଟ ତଳେ ଲୁଚି ଯାଇଥିଲା। ଯେଉଁ କାରଣରୁ ଦୁହିଁଙ୍କ ଜୀବନ ଆତଙ୍କବାଦୀଙ୍କ ଆକ୍ରମଣରୁ ରକ୍ଷା ପାଇଯାଇଛି।  କିନ୍ତୁ ବସ ପାହାଡ଼ ତଳକୁ ଖସି ଯିବା ହେତୁ ପୁଅ ଓ ବୋହୂଙ୍କୁ ଗଭୀର ଆଘାତ ଲାଗିଛି।’