ମିରଟ: ଦୁଷ୍କର୍ମ ଏବଂ ବ୍ଲାକ୍‌ମେଲ୍‌ର ଶିକାର ହୋଇଥିବା ଜଣେ ଆଇନ ଛାତ୍ରୀ ପୁଲିସର କୌଣସି ସହାୟତା ନ ପାଇ ଶେଷରେ ଆତ୍ମହତ୍ୟା କରିଛନ୍ତି। ଉତ୍ତରପ୍ରଦେଶର ବୁଲନ୍ଦସହରରେ ଜଣେ ୧୯ ବର୍ଷୀୟ ଆଇନ ଛାତ୍ରୀ ମାସେରୁ ଅଧିକ ସମୟ ଧରି ଦୁଷ୍କର୍ମ ଏବଂ ବ୍ଲାକ୍‌ମେଲ୍‌ର ଶିକାର ହୋଇ ଆସୁଥିଲେ। ଏ ନେଇ ସେ ଅନୁପସହର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି ସହାୟତା କରି ନଥିଲା। ସମ୍ପୃକ୍ତ ଆଇନ ଛାତ୍ରୀଙ୍କ ଆତ୍ମହତ୍ୟାର ଦିନକ ପରେ ପୁଲିସ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତେବେ ପୁଲିସର ଅବହେଳା ପାଇଁ ଅନୁପସହର ଥାନାର ତଦନ୍ତକାରୀ ଅଫିସରଙ୍କ ସମେତ ୨ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ଆତ୍ମହତ୍ୟା କରିଥିବା ଆଇନ ଛାତ୍ରୀଜଣକ ବୁଲନ୍ଦସହରର। ମହମ୍ମଦ କୁମାରୁଦ୍ଦିନ୍‌ ନାମକ ଜଣେ ବ୍ୟକ୍ତି ଏହି ଆଇନ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ବ୍ଲାକ୍‌ମେଲ କରିଆସୁଥିଲା। ଏ ନେଇ ଗତ ଅକ୍ଟୋବର ୩ ତାରିଖରେ ଆଇନ ଛାତ୍ରୀ ବୁଲନ୍ଦସହର ଥାନାରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ। କିନ୍ତୁ ପୁଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ। ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଫରିଦାବାଦରୁ ଗିରଫ କରିଛି ବୋଲି ବୁଲନ୍ଦସହର ଏସ୍‌ଏସ୍‌ପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି।