ନୂଆଦିଲ୍ଲୀ: ମାଇକ୍ରୋ-ଆର୍ଏନ୍ଏ ଆବିଷ୍କାର ଏବଂ ପୋଷ୍ଟ୍-ଟ୍ରାନ୍ସକ୍ରିପ୍ସନାଲ୍ ଜିନ୍ ପରିଚାଳନାରେ ଏହାର ଭୂମିକା ସଂପର୍କରେ ଗବେଷଣା ପାଇଁ ଦୁଇ ଆମେରିକୀୟ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ଙ୍କୁ ୨୦୨୪ ମସିହା ଲାଗି ଭେଷଜରେ ନୋବେଲ ପୁରସ୍କାର ଦିଆଯିବ।
ଆମ କ୍ରୋମୋଜୋମ୍ରେ ଥିବା ସୂଚନା ଆମର ସମସ୍ତ କୋଷ ପାଇଁ ଏକ ନିର୍ଦ୍ଦେଶିକା ପରି କାର୍ଯ୍ୟ କରେ। ପ୍ରତ୍ୟେକ କୋଷରେ ସମାନ ଜିନ୍ ଥିବା ବେଳେ ମାଂସପେଶୀ ଓ ସ୍ନାୟୁ କୋଷ ଭଳି ବିଭିନ୍ନ ପ୍ରକାର କୋଷର ଅନନ୍ୟ ବୈଶିଷ୍ଟ୍ୟ ରହିଛି। ଏହା ଜିନ୍ ପରିଚାଳନା ମାଧ୍ୟମରେ ହୋଇଥାଏ, ଯେଉଁଠାରେ ପ୍ରତ୍ୟେକ କୋଷ କେବଳ ଆବଶ୍ୟକ ଜିନ୍କୁ ସକ୍ରିୟ କରିଥାଏ। ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ବିଭିନ୍ନ ପ୍ରକାର କୋଷ କିପରି ସୃଷ୍ଟି ହୁଏ ସେ ବିଷୟରେ ଉତ୍ସୁକ ଥିଲେ। ସେମାନେ ମାଇକ୍ରୋ-ଆର୍ଏନ୍ଏ ଅଣୁ ଆବିଷ୍କାର କରିଥିଲେ ଯାହା ଜିନ୍ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମାନବ ଜିନୋମ୍ରେ ଏକ ହଜାରରୁ ଅଧିକ ମାଇକ୍ରୋ-ଆର୍ଏନ୍ଏ ରହିଛି, ଯାହା ବିକାଶ ଓ କାର୍ଯ୍ୟ ପାଇଁ ଜରୁରି। ଜେନେଟିକ୍ ସୂଚନା ଡିଏନ୍ଏରୁ ମେସେଞ୍ଜର ଆର୍ଏନ୍ଏ (ଏମ୍ଆର୍ଏନ୍ଏ)କୁ ପ୍ରବାହିତ ହୁଏ, ଯାହାକୁ ଟ୍ରାନ୍ସକ୍ରିପସନ୍ କୁହାଯାଏ ଏବଂ ତା’ପରେ ପ୍ରୋଟିନ୍ ଉତ୍ପାଦନ ପାଇଁ କୋଷକୁ ପ୍ରବାହିତ ହୁଏ। ସେଠାରେ ଏମ୍ଆର୍ଏନ୍ଏକୁ ପରିବର୍ତ୍ତନ ହୁଏ ଯାହାଦ୍ୱାରା ଡିଏନ୍ଏରେ ସଂରକ୍ଷିତ ଜେନେଟିକ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରୋଟିନ୍ ପ୍ରସ୍ତୁତ ହୁଏ ବୋଲି ନୋବେଲ ପୁରସ୍କାର ବିଜ୍ଞପ୍ତିରେ କୁହାଯାଇଛି।
ଭିକ୍ଟର ଆମ୍ବ୍ରୋସ୍ ୧୯୫୩ ମସିହାରେ ଆମେରିକାର ନ୍ୟୁ ହାମ୍ପସାୟାରର ହାନୋଭରଠାରେ ଜନ୍ମଗ୍ରହଣ କରିଥିଲେ।
ସେ ୧୯୭୯ ମସିହାରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ରୁ ପିଏଚ୍ଡି ହାସଲ କରିଥିଲେ ଏବଂ ୧୯୮୫ ପର୍ଯ୍ୟନ୍ତ ସେଠାରେ ପୋଷ୍ଟଡକ୍ଟରାଲ ଗବେଷକ ଭାବରେ କାର୍ଯ୍ୟ କରିଥିଲେ। ୧୯୮୫ରେ ସେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ପ୍ରିନ୍ସିପାଲ ଇନଭେଷ୍ଟିଗେଟର ହୋଇଥିଲେ। ୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଡାର୍ଟମାଉଥ ମେଡିକାଲ ସ୍କୁଲରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ସେ ମାସାଚୁସେଟ୍ସର ୱାର୍ସେଷ୍ଟରସ୍ଥିତ ୟୁନିଭର୍ସିଟି ଅଫ୍ ମାସାଚୁସେଟ୍ସ ମେଡିକାଲ ସ୍କୁଲରେ ପ୍ରାକୃତିକ ବିଜ୍ଞାନର ସିଲଭରମ୍ୟାନ୍ ପ୍ରଫେସର ଅଛନ୍ତି। ସେହିଭଳି ଗ୍ୟାରି ରୁଭକୁନ୍ ୧୯୫୨ ମସିହାରେ ଆମେରିକାର କାଲିଫର୍ଣ୍ଣିଆର ବର୍କଲେରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୨ରେ ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଥିଲେ ଏବଂ ଏହାପରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଏମ୍ଆଇଟିରେ ପୋଷ୍ଟଡକ୍ଟରାଲ କାର୍ଯ୍ୟ କରିଥିଲେ। ୧୯୮୫ରେ ସେ ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲ ଓ ହାୱାର୍ଡ ମେଡିକାଲ ସ୍କୁଲରେ ପ୍ରିନ୍ସିପାଲ ଇନଭେଷ୍ଟିଗେଟର ଥିଲେ, ଯେଉଁଠାରେ ସେ ବର୍ତ୍ତମାନ ଜେନେଟିକ୍ସର ପ୍ରଫେସର ଅଛନ୍ତି।