ନୂଆ ରୂପ ପାଇବ କୋଲକାତାର ପ୍ରସିଦ୍ଧ ଭିକ୍ଟୋରିଆ ମେମୋରିଆଲ୍‌ ହଲ୍‌

କୋଲକାତା : କୋଲକାତାର ପ୍ରସିଦ୍ଧ ଭିକ୍ଟୋରିଆ ମେମୋରିଆଲ୍‌ ହଲ୍‌ ଏବେ ନୂଆ ରୂପ ପାଇବାକୁ ଯାଉଛି। ୧୦୦ ବର୍ଷର ପୁରୁଣା ଏହି ଐତିହ୍ୟ ବିଲ୍‌ଡିଂର ନବୀକରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଥିବା ବିଭିନ୍ନ ଗ୍ୟାଲେରୀର ଆଧୁନିକୀକରଣ କରାଯିବ। ଏନ୍‌ବିସିସି ଲିଃ. (ନ୍ୟା‌ସନାଲ ବିଲ୍‌ଡିଂ କନ୍‌ଷ୍ଟ୍ରକ୍‌ସନ କର୍‌ପୋରେସନ୍‌ ଲିଃ.) ପକ୍ଷରୁ ଏହାର ଆଧୁନିକୀକରଣ କରାଯିବ।

ପର୍ଯ୍ୟାୟକ୍ରମେ ଭିକ୍ଟୋରିଆ ମେମୋରିଆଲ୍‌ ହଲର ଆଧୁନିକୀକରଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ‌ଏହାର କେନ୍ଦ୍ରୀୟ ଅଂଶର ନବୀକରଣ କରାଯିବାକୁ ଥିବାବେଳେ ଅନ୍ୟ ପର୍ଯ୍ୟାୟରେ ଦକ୍ଷିଣ ପାର୍ଶ୍ବର ନବୀକରଣ ହେବ। ଏହାର ସମ୍ମୁଖ ଭାଗରେ ଲାଲ୍‌ ବାଲିପଥର ବ୍ୟବହାର କରାଯିବ। ବିଲ୍‌ଡିଂ ମଧ୍ୟରେ ବକ୍ସ ଟାଇପ୍‌ ପାର୍ଟିସନ କରାଯିବା ସହ ଫଲ୍‌ସ ସିଲିଂ କରାଯିବ ବୋଲି ମୁଖ୍ୟ ସ୍ଥପତି ଅବିନ ଚୌଧୁରୀ କହିଛନ୍ତି। ତେବେ ଶହେ ବର୍ଷର ପୁରୁଣା ଐତିହ୍ୟ କୋଠାର ପୁନଃନିର୍ମାଣ କରିବା ବଡ଼ ଆହ୍ବାନ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହାର ଆଲୋକୀକରଣ, ଅଗ୍ନିପ୍ରତିରୋଧ ବ୍ୟବସ୍ଥା, ନିରାପତ୍ତା ଆଦି ଦିଗ ପ୍ରତି ସର୍ବାଧିକ ଧ୍ୟାନ ଦିଆଯିବ। ଏହା ସହିତ ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି କ୍ୟାମରୋ ଲଗାଯିବ। ତେବେ ଏଥିରେ ଅଧିକ ଭାର ପଡ଼ିବା ଭଳି କୌଣସି ନିର୍ମାଣ କରାଯିବ ନାହିଁ। ଏହା ଏକ ପୁରୁଣା ଐତିହ୍ୟ କୋଠା ହୋଇଥିବାରୁ ଏଥିରେ କିଛି ନୂଆ ନିର୍ମାଣ କରାଯିବ ନାହିଁ ବୋଲି ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର