ନୂଆଦିଲ୍ଲୀ: ଏଥର ଭୋଟରଙ୍କୁ ପ୍ରଭାବିତ କରିବାରେ ଆଶ୍ଚର୍ଯ୍ୟଜନକ ଭାବେ ବିଫଳ ହୋଇଥିବା ବିଜେପିକୁ ଦକ୍ଷିଣ ରାଜ୍ୟର କେରଳରେ ବିରଳ ସଫଳତା ମିଳିଛି। କେରଳର ତ୍ରିଶୂର ଆସନ ଦଖଲ କରି ବିଜେପି ଏଠାରେ ଇତିହାସ ସୃଷ୍ଟି କରିଛି। ପୂର୍ବରୁ ତିରୁଅନନ୍ତପୁରମ ଆସନରେ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଶଶି ଥରୁରଙ୍କଠାରୁ ପଛରେ ଥିଲେ। ତେବେ ପରେ ଥରୁର୍‌ଙ୍କ ସ୍ଥିତିରେ ଉନ୍ନତି ହୋଇଥିଲା। କେରଳର ୨୦ଟି ଲୋକସଭା ଆସନମଧ୍ୟରୁ କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ୧୮ଟି ଆସନରେ ବିଜୟୀ/ଅଗ୍ରଣୀ ଥିବା ବେଳେ ସିପିଏମ୍‌ ଗୋଟିଏ ଆସନରେ ଆଗୁଆ ରହିଛି। ଭାରତୀୟ ନିର୍ବାଚନ ଆୟୋଗ ୱେବସାଇଟରେ ପ୍ରକାଶିତ ସୂଚନା ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଯଥାକ୍ରମେ ୱାୟନାଡ ଏବଂ ଆଲାପୁଜା ଆସନରେ ବିଜୟୀ ହୋଇଛନ୍ତି।

Advertisment

ତାମିଲନାଡ଼ୁ: ଏଥର ତାମିଲନାଡୁରେ ଭଲ ଫଳ ଆଶା ରଖୁଥିବା ବିଜେପିକୁ ବଡ଼ ଝଟ୍‌କା ମିଳିଛି। ଦଳ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ଦଳର ରାଜ୍ୟ ସଭାପତି କେ ଆନ୍ନାମଲାଇ ମଧ୍ୟ କୋଇମ୍ବାଟୁର ଆସନରୁ ପରାସ୍ତ ହୋଇଛନ୍ତି। ରାଜ୍ୟର ମୋଟ ୩୯ ଆସନରୁ ୩୮ଟି ଆସନରେ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ବିଜୟୀ/ଅଗ୍ରଣୀ ରହିଛି। ବିଜେପିର ସହଯୋଗୀ ପିଏମ୍‌କେ ଗୋଟିଏ ଆସନରେ ବିଜୟୀ/ଅଗ୍ରଣୀ ରହିଛି। ଡିଏମକେ ୨୧ଟି, କଂଗ୍ରେସ ୯ଟି, ସିପିଆଇ (ଏମ୍), ସିପିଆଇ ଓ ଭିସିକେ ୨ଟି ଲେଖାଏଁ ଏବଂ ଆଇୟୁଏମ୍ଏଲ୍, ଏମ୍‌ଡିଏମ୍‌କେ ଏବଂ ପିଏମ୍‌କେ ଗୋଟିଏ ଲେଖାଏଁ ଆସନରେ ବିଜୟୀ/ଅଗ୍ରଣୀ ଅଛନ୍ତି।

କେରଳରେ ଖାତା ଖୋଲିଲା ବିଜେପି, ତାମିଲନାଡ଼ୁରେ ଶୂନ
ଆନ୍ଧ୍ରରେ ଜଗନଙ୍କ ବିପର୍ଯ୍ୟୟ, କର୍ଣ୍ଣାଟକରେ କଂଗ୍ରେସକୁ ଝଟ୍‌କା
ତେଲେଙ୍ଗାନାରେ ବିଆର୍‌ଏସ୍ ମୂଳପୋଛ

ତେଲେଙ୍ଗାନା: ତେଲେଙ୍ଗାନା ନିର୍ବାଚନ ଫଳାଫଳ କେ ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ରାଜ୍ୟର ୧୭ଟି ଲୋକସଭା ଆସନ ମଧ୍ୟରୁ ୮ଟି ଲେଖାଏଁ ଆସନରେ ଉଭୟ ଜାତୀୟ ଦଳ କଂଗ୍ରେସ ଏବଂ ବିଜେପି ବିଜୟୀ/ଅଗ୍ରଣୀ ଥିବା ବେ‌ଳେ ବିଆର୍‌ଏସକୁ ଗୋଟିଏ ବି ଆସନ ମିଳିନାହିଁ।
କର୍ଣ୍ଣାଟକ: କର୍ଣ୍ଣାଟକର ୨୮ଟି ଲୋକସଭା ଆସନରୁ ଏନ୍‌ଡିଏ ୧୬ଟି ଆସନରେ ବିଜୟୀ/ଅଗ୍ରଣୀ ରହିବା ମେଣ୍ଟ ପାଇଁ ବଡ଼ ଆଶ୍ବସ୍ତି ଆଣିଛି। ଦକ୍ଷିଣରେ ବିଜେପିର ଦୁର୍ବଳ ପ୍ରଦର୍ଶନ ଭିତରେ କର୍ଣ୍ଣାଟକ ଦଳ ପାଇଁ ଆଶ୍ବସ୍ତି ଆଣିଛି। ଅନ୍ୟପକ୍ଷରେ ରାଜ୍ୟରେ କଂଗ୍ରେସ ୧୦ଟି ଆସନରେ ବିଜୟୀ/ଅଗ୍ରଣୀ ରହିଛି।
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଟିଡପି ୧୬ଟି ଆସନରେ ବିଜୟୀ/ଅଗ୍ରଣୀ ଥିବା ବେଳେ ଜଗନ ରେଡ୍ଡିଙ୍କ ୱାଇଏସଆରସିପି ୪ଟି ଆସନରେ ଆଗୁଆ ରହିଛି। ବିଜେପି ୩ଟି ଆସନରେ ବିଜୟୀ/ଆଗୁଆ ଥିବା ବେଳେ ଜନସେନା ପାର୍ଟି (ଜେଏସ୍‌ପି) ୨ଟି ଆସନରେ ବିଜୟୀ/ଆଗୁଆ ରହିଛି। ଟିଡିପି-ବିଜେପି-ଜେଏସପି ମେଣ୍ଟ ୨୫ଟି ଲୋକସଭା ଆସନମଧ୍ୟରୁ ୨୧ଟିରେ ବିଜୟୀ/ଅଗ୍ରଣୀ ରହି ୱାଇଏସ୍‌ଆରସିପିକୁ ବହୁତ ବଡ଼ ଝଟ୍‌କା ଦେଇଛନ୍ତି।