ଅଯୋଧ୍ୟା ମାମଲାରେ ତଥ୍ୟ ଅପେକ୍ଷା ବିଶ୍ବାସକୁ ଅଗ୍ରାଧିକାର ଦିଆଯାଇଛି: ଅୱେସି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସୁପ୍ରିମ୍‌ କୋର୍ଟ‌୍ ସୁପ୍ରିମ୍‌, ମାତ୍ର ଏହା ଯେ ତ୍ରୁଟିରୁ ଊର୍ଦ୍ଧ୍ବରେ ତାହା ଭାବିବା ଉଚିତ୍‌ ନୁହେଁ। କୋର୍ଟ ତଥ୍ୟ ଅପେକ୍ଷା ବିଶ୍ବାସକୁ ଅଗ୍ରାଧିକାର ଦେଇଛନ୍ତି। ସୁନ୍ନି ୱାକଫ୍‌ ବୋର୍ଡକୁ ଅଯୋଧ୍ୟାରେ ପାଞ୍ଚ ଏକର ଜମି ‌ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର, ଏହା ଗ୍ରହଣୀୟ ନୁହେଁ ବୋଲି ଅୱେସି କହିଛନ୍ତି। କେବଳ ପାଞ୍ଚ ଏକର ଜମି ପାଇଁ କ’ଣ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ ଦୀର୍ଘ ଦିନ ଧରି ଆଇନ୍‌ଗତ ଲଢ଼େଇ କରିଆସୁଥିଲା ବୋଲି ଅୱେସି ପ୍ରଶ୍ନ କରିଛନ୍ତି। ଏହି ରାୟ ସେମାନଙ୍କ ବିରୋଧରେ ଯାଇଛି। ଏହା ବିରୋଧରେ ସୁନ୍ନି ୱାକଫ୍‌ ବୋର୍ଡ ରିଭ୍ୟୁ ପିଟିସନ ଦାଖଲ କରିବ ବୋଲି ଅୱେସି କହିଛନ୍ତି। ଅଯୋଧ୍ୟା ବିବାଦ ପାଇଁ ଅୱେସି କଂଗ୍ରେସକୁ ମଧ୍ୟ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର