ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଜେପି ବିଧାୟକ

ଗୌହାଟି: ରାଜ୍ୟ ବିଧାନସଭା ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଧାୟକ। ତ୍ରିପୁରାର ଜଣେ ବିଜେପି ବିଧାୟକ ବିଧାନସଭା‌ରେ ଅଶ୍ଳୀଳ ଭିଡିଓ ଦେଖୁଥିବା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକଙ୍କ ନାଁ ଯାଦବ ଲାଲ ନାଥ ବୋଲି ଜଣାପଡ଼ିଥିବା ବେଳେ ସେ ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି।

ବିଧାନସଭାରେ ରାଜ୍ୟ ବଜେଟ୍ ସହ ଜଡିତ ଆଲୋଚନା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଶ୍ରୀ ନାଥଙ୍କ ପଛରେ ବସିଥିବା ଜଣେ ବିଧାୟକଙ୍କ ଦ୍ବାରା ରେକର୍ଡ ହୋଇଥିବା ଏହି ଭିଡିଓରେ ଦେଖାଯାଇଛି ଯେ ବାଚସ୍ପତି ଏବଂ ଅନ୍ୟ ବିଧାୟକମାନେ ବଜେଟକୁ ନେଇ ଆଲୋଚନା କରୁଥିବା ସମୟରେ ଯାଦବ ଲାଲ ନାଥ ତାଙ୍କ ଫୋନରେ ଅଶ୍ଲୀଳ ଭିଡିଓ ଦେଖୁଛନ୍ତି। ତାଙ୍କ ଫୋନରେ ଅନେକ ଗୁଡିଏ ଅଶ୍ଲୀଳ ଭିଡିଓ ନଜର ଆସୁଥିବା ସହ ସେ କିଛି ଭିଡିଓକୁ ଖୁବ ଧ୍ୟାନ ଦେଇ ଦେଖୁଥିବା ଭିଡିଓ‌ରେ ସ୍ପଷ୍ଟ ଦେଖାଯାଉଛି।

କହାଯାଉଛି ଯେ, ଏହି ଘଟଣା ପ‌ରେ ବିଜେପି, ବିଧାୟକଙ୍କଠାରୁ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ମାଗି ତାଙ୍କୁ ସମନ ପଠାଇଛି। ଶ୍ରୀ ନାଥ ଏପର୍ଯ୍ୟନ୍ତ ଅଭିଯୋଗ କିମ୍ବା ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଅଧିବେଶନ ଶେଷ ହେବା ପରେ ସେ ବିଧାନସଭା ପରିସର ଛାଡିଥିବା ଜଣାପଡ଼ିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ୨୦୧୨ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାରଙ୍କ ଦୁଇଜଣ ମନ୍ତ୍ରୀ ବିଧାନସଭା ଭିତରେ ନିଜ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର