ବେଙ୍ଗାଲୁୁରୁ: ଅଟୋ ଇଣ୍ଡଷ୍ଟ୍ରି ପାଇଁ ବିପଦ ବୋଲି କହି ରାପିଡୋ ଚାଳକଙ୍କୁ ଧମକାଇଲେ ଅଟୋ ଚାଳକ। ଭାଙ୍ଗିଲେ ହେଲମେଟ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ଘଟଣା ଘଟିବା ସମୟର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ପୁଲିସ ଅଭିଯୁକ୍ତ ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ, ଉତ୍ତର-ପୂର୍ବ ଭାରତର ଜଣେ ଯୁବକ ବେଙ୍ଗାଲୁରୁ ଆସି ସେଠାରେ ରାପିଡୋ ଚାଳକ ଭାବେ କାମ କରୁଥିଲେ। ଇନ୍ଦିରା ନଗର ମେଟ୍ରୋ ଷ୍ଟେସନକୁ ଜଣେ ବ୍ୟକ୍ତିଙ୍କୁ ସେ ଛାଡ଼ିବା ପାଇଁ ଆସିଥିବା ବେଳେ ଅଟୋ ଚାଳକଜଣକ ତାଙ୍କୁ ଅଟକାଇଥିଲେ। ରାପିଡୋ ଚାଳକଙ୍କୁ ବିଦେଶୀ ବୋଲି କହିବା ସହ ତାଙ୍କ ଗାଡି ଆଗରେ ହେଲମେଟ କଚାଡି ଦେଇଥିଲେ ଅଟୋ ଚାଳକ। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଅଟୋ ଚାଳକ ଖୁବ ଜୋରରେ ରାଗିଯିବା ସହ କହୁଛନ୍ତି, ବନ୍ଧୁଗଣ, ଅବୈଧ ରାପିଡୋ ବ୍ୟବସାୟ କିପରି ଚାଲିଛି ଦେଖନ୍ତୁ। ଏ ଯୁବକ ଅନ୍ୟ ଦେଶରୁ ଆସି ରାଜା ପରି ଏଠାରେ ବୁଲୁଛି। ଏମାନଙ୍କ ପାଇଁ ଅଟୋ ଡ୍ରାଇଭରମାନେ ଗ୍ରାହକଙ୍କୁ ହରାଉଛନ୍ତି।

ତେବେ ଏହି ଭିଡିଓ ଫ୍ରିଡମ ଅଫ୍ ସ୍ପିଚ୍, ବେଙ୍ଗାଲୁରୁ ଟ୍ବିଟର ଆକାଉଣ୍ଟରୁ ସେୟାର କରାଯାଇଥିବା ବେଳେ ବେଙ୍ଗାଲୁରୁ ପୁଲିସକୁ ଟ୍ୟାଗ୍ କରାଯାଇଥିଲା। ଟ୍ବିଟରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିବା ବେଳେ ବେଙ୍ଗାଲୁରୁ ପୁଲିସ ରିଟ୍ବିଟ କରି ତଦନ୍ତ ଚାଲିଥିବା କହିଛି।