ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରାଯିବା ବିରୋଧରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ପ୍ରତିବାଦ କରାଯାଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ପୱନ ଖେରା, ପି ଚିଦମ୍ବରମ୍, ଜୟରାମ ରମେଶ, ବିବେକ ତନଖା, ଅଶୋକ ଗେହଲଟ, ସଚିନ ପାଇଲଟ, ଶଶୀ ଥରୁର ପ୍ରମୁଖଙ୍କୁ ଗୁରୁବାର ଦିଲ୍ଲୀରେ ଅଟକ ରଖାଯାଇଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା।
ଦଳର ମୁଖପାତ୍ର ଜୟରାମ ରମେଶ ଟ୍ବିଟ୍ କରିଛନ୍ତି ଯେ ‘ ରାଜନୈତିକ ପ୍ରତିହିଂସା ସମୟରେ ସେମାନେ ସୋନିଆଙ୍କ ସାଥୀରେ ଅଛନ୍ତି ବୋଲି ଜଣାଇବା ପାଇଁ ସମସ୍ତ କଂଗ୍ରେସ ନେତା ଦଳ ମୁଖ୍ୟାଳୟ ବାହାରେ ଏକଜୁଟ ହୋଇଥିଲେ। କିନ୍ତୁ ସେମାନଙ୍କୁ ଦିଲ୍ଲୀ ପୁଲିସ ପୁରୁଣା ଦିଲ୍ଲୀର କେଉଁ ଅଜଣା ଥାନାକୁ ନେଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏକ ଭିଡିଓ ବାର୍ତ୍ତାରେ ଲେଖିଛନ୍ତି ଯେ ସେମାନଙ୍କୁ ଦିଲ୍ଲୀ ପୁଲିସ ପୁଲିସ ବସ୍ରେ ବସାଇ କେଉଁ ଅଜଣା ସ୍ଥାନକୁ ନେଇଯାଇଛି। ଅନ୍ୟ ଦୁଇଟି ପୁଲିସ ବସ୍ରେ ବି କଂଗ୍ରେସ ନେତାମାନେ ଭର୍ତ୍ତି ହୋଇଛନ୍ତି। ସରକାରୀ କଳର ଦୁରୁପଯୋଗ କରାଯାଉଛି।’ ଏହି ଭିଡ଼ିଓରେ ପୱନ ଖେରା, ହରିଶ ରାୱତ, ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖଙ୍କୁ ଏକା ପୁଲିସ ବସ୍ରେ ଥିବା ଦେଖିବାକୁ ମିଳୁଛି। ଏହା ଗଣତନ୍ତ୍ରର ହତ୍ୟା ବୋଲି ଥରୁର ତାଙ୍କ ଟ୍ବିଟ୍ରେ ଲେଖିଛନ୍ତି। ଆମେ ସଂସଦରେ ଜନସାଧାରଣଙ୍କ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚାହିଁଲା ବେଳେ ସରକାର ତାହା କରିବାକୁ ଦେଉନାହାନ୍ତି। ଅପରପକ୍ଷେ ଏହିପରିଭାବେ ବିରୋଧୀ ଦଳର ନେତାମାନଙ୍କୁ ହଇରାଣ କରାଯାଉଛି। ଗଣତନ୍ତ୍ରକୁ ରକ୍ଷା କରିବାକୁ ଚାହୁଥିବା କଂଗ୍ରେସ ନେତାଙ୍କୁ ଗିରଫ କରାଯିବା ଦୁର୍ଭାଗ୍ୟଜନକ ବୋଲି ଥରୁର ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sashi-t.jpg)