ପ୍ରଧାନମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ, କ’ଣ କହିଲେ ମୁଖ୍ୟମନ୍ତ୍ରୀମାନେ

ଅହମଦାବା: ଭିଡିଓ-ସମ୍ମିଳନୀରେ ହୋଇଥିବା ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନାରେ ଯେଉଁ ୯ ଜଣ ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ରଣନୀତି ଉପରେ କହିଥିଲେ ସେମାନେ ଥିଲେ ମେଘାଳୟ, ମିଜୋରାମ, ପୁଦୁଚେରୀ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଓଡ଼ିଶା, ବିହାର, ଗୁଜରାଟ ଓ ହରିୟାଣା। ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ ସାଙ୍ଗମା କହିଲେ, ମେ ୩ ପରେ ବି ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିବ। ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ଚଳପ୍ରଚଳ ଉପରେ କଟକଣା ରହିବ। କେବଳ ମେଡିକାଲ ଜରୁରୀ କ୍ଷେତ୍ରରେ ଓ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଏହା କୋହଳ ହେବ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଲେ ଯେ ଲକ୍‌ଡାଉନ୍‌ ଅନୁପାଳନରେ ସେମାନେ କେତେ ନିଷ୍ଠା ପ୍ରଦର୍ଶନ କରିଛନ୍ତି ଏବଂ କେନ୍ଦ୍ରର ନିର୍ଦେଶାବଳୀକୁ ପାଳନ କରିଛନ୍ତି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଦାବି କରିଥିଲେ କେନ୍ଦ୍ର ତରଫରୁ ସୁରକ୍ଷାତ୍ମକ ଶରୀର ଆବରଣ (ପିପିଇ) ଏବଂ ଅନ୍ୟ ମେଡିକାଲ ସରଂଜାମ ଯୋଗାଇ ଦିଆଯାଉ ଏବଂ କୋଭିଡ୍‌-୧୯ ବିରୋଧରେ ଲଢେଇ ପାଇଁ ଆର୍ଥିକ ଅନୁଦାନ ଦେବା ସହ ଲକ୍‌ଡାଉନ୍‌ ପରେ ଶିଳ୍ପାନୁଷ୍ଠାନକୁ ପୁଣି କାର୍ଯ୍ୟକ୍ଷମ କରାଯାଉ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଲେ, ସମସ୍ତ ସତର୍କତା ଅବଲମ୍ବନ ସହିତ ପର୍ଯ୍ୟାୟକ୍ରମିକ ଭାବେ ବେପାରବଣିଜ ଆରମ୍ଭ ହେଉ। ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ସରକାରମାନେ ଧୀରେ ଧୀରେ ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଆରମ୍ଭ କରନ୍ତୁ। ଉତ୍ତରାଖଣ୍ଡରେ ଏମ୍‌ଜିନରେଗା ଚାଲିଛି। ଆଗକୁ ବଢ଼ିବା ପାଇଁ ଆର୍ଥନୀତିକ ପୁନରୁଦ୍ଧାର ହି ଏକ ଚାବିକାଠି ଭଳି। ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଲେ ତାଙ୍କ ସରକାର ଏବେ ଆର୍ଥନୀତିକ କାର୍ଯ୍ୟାବଳୀ ଆରମ୍ଭ କରିବା ସ୍ଥିତିରେ ଅଛି। ଅନ୍ୟ ରାଜ୍ୟମାନଙ୍କ ସହ ବିଚାରବିମର୍ଶ କରି ଲକ୍‌ଡାଉନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯାଉ। ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଜରିଆରେ ଲୋକମାନଙ୍କ ପାଖରେ ସରକାର ପହଞ୍ଚିପାରିଛି। ସୀମାନ୍ତ ରାଜ୍ୟଗୁଡ଼ିକରେ ମାମଲା ବଢ଼ୁ୍‌ଥିବାରୁ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ନମୁନା ପରୀକ୍ଷା ଜୋରଦାର କରାଯାଇଛି। ଖୁସିର କଥା ଯେ ହିମାଚଳର ୧୨ଟି ଜିଲ୍ଲାରେ କୌଣସି ପଜିଟିଭ୍‌ ମାମଲା ନାହିଁ। ଗରିବ ଓ ଅଭାବୀ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆହ୍ୱାନକୁ ମୁକାବିଲା କରିବାକୁ ରାଜ୍ୟ ପ୍ରସ୍ତୁତ ଅଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ଜାତୀୟ ଲକ୍‌ଡାଉନ୍‌ ଜାରି ରହିପାରେ; କିନ୍ତୁ ଗୁରୁତ୍ୱପୂର୍ଣ କାର୍ଯ୍ୟଗୁଡ଼ିକୁ ଅନୁମତି ମିଳିବା ଦରକାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଲେ ଘରକୁ ଘର ବୁଲି ସ୍ୱାସ୍ଥ୍ୟପରୀକ୍ଷା ଚାଲିଛି, ଠିକ୍‌ ପୋଲିଓବୁନ୍ଦପାନ ଅଭିଯାନ ଭଳି। ଏବେ ସୁଦ୍ଧା ୪ କୋଟି ଲୋକଙ୍କର ସ୍ୱାସ୍ଥ୍ୟପରୀକ୍ଷା ହୋଇସାରିଲାଣି। କୋଚିଂ ଅନୁଷ୍ଠାନର ପ୍ରାଣକେନ୍ଦ୍ର କୋଟା (ରାଜସ୍ଥାନ)ରେ ଅଟକି ରହିଥିବା ଛାତଛାତ୍ରୀମାନଙ୍କ ପ୍ରସଙ୍ଗରେ ନୀତୀଶ କହିଛନ୍ତି ଯେ ସେମାନଙ୍କ ପାଇଁ ଏତେ ଚିନ୍ତିତ କାହିଁକି? ସେମାନେ ସମସ୍ତେ ଥିଲାବାଲା ଘରର। କିନ୍ତୁ ଅନେକ ରାଜ୍ୟ ସେମାନଙ୍କୁ ଫେରାଇ ଆଣିବାର ସ୍ୱାତନ୍ତ୍ର୍ୟର ପ୍ରୟୋଗ କରୁଛନ୍ତି। ଏଥିରେ ସମସ୍ତଙ୍କ ପାଇଁ ସମାନ ନୀତି ହେବା ଦରକାର। କେବଳ କୋଟା ନୁହେଁ, ଦେଶର ବିଭିନ୍ନ ପ୍ରାନ୍ତରେ ବିଦ୍ୟାର୍ଥୀମାନେ ଫସି ରହିଛନ୍ତି।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଲେ ଏପ୍ରିଲ୍‌ ୧୭ ତାରିଖ ସୁଦ୍ଧା ୨୨ ହଜାର ଟେଷ୍ଟିଂ କରାଯାଇସାରିଛି। ଗତ ୧୦ ଦିନ ମଧ୍ୟରେ ୨୮ ହଜାର ଟେଷ୍ଟ କରାଯାଇଛି। ସମସ୍ତ ପଜିଟିଭ୍‌ ମାମଲାକୁ ଚିକିତ୍ସା କରାଯାଉଛି। ହଟ୍‌ସ୍ପଟ୍‌ ଅଞ୍ଚଳରେ ଘରକୁ ଘର ବୁଲି ଟେଷ୍ଟ କରାଯାଉଛି। ପରିସ୍ଥିତି ସମ୍ଭାଳିବାକୁ ଯଥେଷ୍ଟ ମେଡିକାଲ ସୁବିଧା ରହିଛି। ସୁରତ, ବଡୋଦରା ଓ ଅହମଦାବାଦ ଓ ଅନ୍ୟ ହଟ୍‌ସ୍ପଟ୍‌ ଅଞ୍ଚଳରେ କଡ଼ା ନଜର ରଖାଯାଇଛି। ୮୫% ମୃତକଙ୍କ ମଧ୍ୟରେ ଅନ୍ୟ ସ୍ୱାସ୍ଥ୍ୟଗତ ଜଟିଳତା ରହିଥିଲା। ଗ୍ରାମାଞ୍ଚଳରେ ବ୍ୟବସାୟ ଓ ଆର୍ଥନୀତିକ କାର୍ଯ୍ୟାବଳୀ ଆରମ୍ଭ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଗୁଜରାଟ ସମ୍ମାନର ସହ ପାଳିବ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଲେ, ଅବରୋଧ ଅଞ୍ଚଳ ବାହାରେ ୪ ଲକ୍ଷ ଲୋକଙ୍କ ସଂପୃକ୍ତିରେ ଶିଳ୍ପ ଓ ବାଣିଜ୍ୟ କାର୍ଯ୍ୟାବଳୀ ଆରମ୍ଭ ହୋଇଯାଇଛି। ସମସ୍ତ କଟକଣା ଭିତରେ କୃଷି କାର୍ଯ୍ୟାବଳୀ ଚାଲୁ ହୋଇଥିବା ବେଳେ ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ଚଳପ୍ରଚଳ ବନ୍ଦ ରହିବ। ଉଚ୍ଚଶିକ୍ଷା ଶ୍ରେଣୀଗୁଡ଼ିକ ପାଇଁ ଅନ୍‌ଲାଇନ୍‌ ଶ୍ରେଣୀ ପଢ଼ା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର