ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ପୂର୍ବ ବାନ୍ଦ୍ରାର ତାଙ୍କ ପୁଅ ତଥା ବିଧାୟକ ଜିସାନ ସିଦ୍ଦିକଙ୍କ କାର୍ଯ୍ୟାଳୟ ବାହାରେ ଗୁଳିମାରି ହତ୍ୟା କରିବାର ତିନି ଦିନ ପରେ ଗୁଳି ଚାଳନାକାରୀଙ୍କୁ ଗିରଫ କରାଯାଇଛି।।  ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବାର ଦୃଶ୍ୟ ଏକ ଭିଡିଓରେ କଏଦ ହୋଇଛି। 

Advertisment

ଶନିବାର ଦିନ ରାତି ପ୍ରାୟ ୯.୩୦ ସମୟରେ ସିଦ୍ଦିକଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ହରିଆଣାର ଗୁରୁମେଲ୍‌ ବଲଜିତ୍‌ ସିଂହ ଏବଂ ଉତ୍ତରପ୍ରଦେଶର ଧର୍ମରାଜ କଶ୍ୟପଙ୍କୁ ଗିରଫ କରାଯାଇଛି। 

ଭିଡିଓରେ ଦର୍ଶାଯାଇଛି ଯେ କାଶ୍ୟପଙ୍କୁ ତିନି ଜଣ ପୁଲିସ ଟାଣି ନେଉଛନ୍ତି। ଅଭିଯୁକ୍ତ ନିଜ ହାତକୁ ଟେକି ଟେକି ମୁଣ୍ଡ ପାଖରେ ରଖି ଯାଉଛନ୍ତି। ତା’ପରେ ପୁଲିସ୍‌ ତାଙ୍କୁ ଫୋନ୍‌ ମାଗିବାରୁ ସେ ପୁଲିସ୍‌କୁ ନିଜ ଫୋନ୍‌ ହସ୍ତାନ୍ତର କରାଇଥି‌ଲେ।

ମଙ୍ଗଳବାର ଦିନ ପୁଲିସ ସୂତ୍ରରୁ ପ୍ରକାଶ ଯେ ଯେଉଁ ବ୍ୟାଗ୍‌ରୁ ଗୁଳି କାଢ଼ି ଚାଳନ କରାଯାଇଥିଲା ସେହି ବ୍ୟାଗରୁ ଆଉ ଏକ ପିସ୍ତଲ ଉଦ୍ଧାର କରାଯାଇଛି। ବ୍ୟାଗଟି କ୍ରାଇମବ୍ରାଞ୍ଚଠାରୁ କିଛି ଦୂରରେ ମିଳିଥିଲା।

ରବିବାର ଦିନ କାଶ୍ୟପ ମୁମ୍ବାଇର ଏକ କୋର୍ଟରେ ଦାବି କରିଛନ୍ତି ଯେ ସେ ୧୭ ବର୍ଷୀୟ। ମାତ୍ର ସୋମବାର ପ୍ରମାଣ ମିଳିଛି ଯେ ସେ ନାବାଳକ ନୁହଁନ୍ତି।

ସୂତ୍ରରୁ ପ୍ରକାଶ ଯେ ଗୁଜୁରାଟର ସାବରମତି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି ଏବଂ ରବିବାର ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ସମାନ ଦାବି କରାଯାଇଥିଲା।