ନେଟ୍‌ଫ୍ଲିକ୍ସରେ ମିଳିବ ଭିଡିଓ ଗେମ୍‌

ନୂଆଦିଲ୍ଲୀ: ଆମେରିକାର ଅଗ୍ରଣୀ ଷ୍ଟ୍ରିମିଂ ସଂସ୍ଥା ନେଟ୍‌ଫ୍ଲିକ୍ସ ଏହାର ଆପ୍‌ରେ ଖୁବ୍‌ଶୀଘ୍ର ଭିଡିଓ ଗେମ୍‌ ସାମିଲ କରିବାକୁ ଯାଉଛି। ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଭିଡିଓ ଗେମ୍‌ ଖେଳିବାର ସୁଯୋଗ ପାଇବେ। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି କେବଳ ମୋବାଇଲ୍ ଗେମ୍‌ ଉପରେ ଧ୍ୟାନ ଦେବ। ପରବର୍ତୀ ସମୟରେ ଭିଡିଓ ଗେମ୍‌ ବର୍ଗମାଳାକୁ ସମ୍ପ୍ରସାରିତ କରିବ। ଓଭର ଦି ଟପ୍‌ (ଓଟିଟି) ବର୍ଗରେ ଦିନକୁ ଦିନ ଅଧିକ ସଂସ୍ଥା ପ୍ରବେଶ କରୁଥିବାରୁ ‌ନେଟ୍‌ଫ୍ଲିକ୍ସକୁ ବଜାର ଅଂଶ ହ୍ରାସ ପାଇବାର ଚିନ୍ତା ଘାରିଛି। ଗ୍ରାହକମାନଙ୍କୁ ନିଜ ପାଖରେ ରଖିବା ଲାଗି ଏହା ଭିଡିଓ ଗେମ୍‌ ଭଳି ସୁବିଧା ଦେବାକୁ ଚାହୁଛି। ନେଟ୍‌ଫ୍ଲିକ୍ସ ଏହାର ପ୍ଲାଟଫର୍ମ ଲାଗି ସ୍ବତନ୍ତ୍ର ଭାବେ ଭିଡିଓ ଗେମ୍ ତିଆରି କରିବ। ‌

ଏଥିପାଇଁ ମାଇକ୍ ଭେର୍ଦୁଙ୍କୁ ଗେମ୍‌ ବିଭାଗର ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ କଂପାନି ଗେମିଂ ଶିଳ୍ପର ବହୁ ପ୍ରମୁଖ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ଉପରେ ବିଚାର କରୁଛି। ଭାରତରେ ନେଟ୍‌ଫ୍ଲିକ୍ସ ଅରିଜିନାଲ୍‌ ସୋ’ ଓ ସିରିଜ୍‌ ଜରିଆରେ ରୋମାଞ୍ଚ ସୃଷ୍ଟି କରିବାକୁ ସଂଘର୍ଷ କରୁଥିବା ବେଳେ ଏହାର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଆମାଜନ୍ ପ୍ରାଇମ୍ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ଦି ଫାମିଲି ମ୍ୟାନ୍ ୨ ସିରିଜ୍‌ ଏହାର ଗ୍ରାହକ ସଂଖ୍ୟା ବଢ଼ାଇଛି। ଆମାଜନ୍ ପ୍ରାଇମ୍ ବ୍ୟତୀତ ଜି୫, ଡିଜ୍‌ନି ପ୍ଲସ୍‌ ଓ ଏଚ୍‌ବିଓ ମ୍ୟାକ୍ସ ମଧ୍ୟ ନିଜର ଗ୍ରାହକ ସଂଖ୍ୟା ବଢ଼ାଇବାରେ ସଫଳ ହୋଇଛନ୍ତି। ମହାମାରୀରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଥିବାରୁ ଓଟିଟି ପ୍ଲାଟଫର୍ମ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଛି।

ସମ୍ବନ୍ଧିତ ଖବର