ଭାରତୀୟ ଛାତ୍ରଙ୍କ ଭିଡିଓ: ଖାଦ୍ୟ ନାହିଁ କି ପାଣି ନାହିଁ, ୫୦କିମି ଚାଲିବାକୁ ନିଷ୍ପତ୍ତି ନେଇଛୁ

ପ୍ରତି ମୁହୂର୍ତ୍ତରେ ଗୁଳିଗୋଳା ଶବ୍ଦ, ଆମର ଯାହା ହେବ ସରକାର ଦାୟୀ ରହିବେ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ୟୁକ୍ରେନ୍‌ର ସୁମି ସହରରେ ଏବେ ଘମାଘୋଟ ଲଢ଼େଇ ଜାରି ରହିଛି। ରୁଷ୍‌ ବୋମାବର୍ଷୀ ବିମାନର ଆକ୍ରମଣ ଏବଂ ଟ୍ୟାଙ୍କରୁ ଗୋଳା ବର୍ଷା ଯୋଗୁଁ ସ୍ଥିତି ଅତି ସାଂଘାତିକ ରହିଛି। ବାହାରକୁ ବାହାରିବା ପାଇଁ ସବୁବାଟ ବନ୍ଦ ହୋଇଯାଇଛି। ଛାତ୍ରଙ୍କୁ ଆଣିବା ପାଇଁ ସୁରକ୍ଷିତ କରିଡର ସୃଷ୍ଟି କରିବାକୁ ତୁରନ୍ତ ଯୁଦ୍ଧବିରତି କରିବାପାଇଁ ରୁଷ୍‌ ଏବଂ ୟୁକ୍ରେନ୍‌ ଉପରେ ଚାପ ପକାଯାଉଛି। ରୁଷ୍‌ ଜାତିସଂଘରେ ମଧ୍ୟ ଭାରତୀୟ ଛାତ୍ରଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କରିଡର ବ୍ୟବସ୍ଥା କରିବ ବୋଲି କହିଛି।

ସୁମିରେ ଫସିଥିବା ଭାରତୀୟ ଛାତ୍ରମାନେ ଆଜି ଏକ ଭିଡିଓ ପୋଷ୍ଟ୍‌ କରି କହିଛନ୍ତି, ସୁମିରୁ ଏହା ସେମାନଙ୍କ ଶେଷ ଭିଡିଓ। ସେମାନେ ସୁମିଠାରୁ ୫୦ କିମି ଦୂର ରୁଷ୍‌ ସୀମାକୁ ଚାଲି ଚାଲି ଯିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦି ସେମାନଙ୍କର କିଛି ଖରାପ ଘଟିଲା ତେବେ ଭାରତ ସରକାର ଏବଂ ଦୂତାବାସ ଏଥିପାଇଁ ଦାୟୀ ରହିବେ ବୋଲି ଛାତ୍ରମାନେ ଭିଡିଓରେ କହିଛନ୍ତି। ସୁମି ଷ୍ଟେଟ୍‌ ୟୁନିଭର୍ସିଟି ପରିସରରୁ ଛାତ୍ରମାନେ ଏହି ଭିଡିଓ ପୋଷ୍ଟ କରିଥିଲେ। ସୁମିରେ ଫସିଥିବା ଛାତ୍ରଙ୍କ ସହ ଦୂତାବାସ ପକ୍ଷରୁ ଲଗାତାର ଯୋଗାଯୋଗ କରାଯାଉଛି। ସୁମିରେ ଏବେ ୭୦୦ରୁ ଅଧିକ ଭାରତୀୟ ଛାତ୍ର ଅଛନ୍ତି। ସେମାନଙ୍କ ନିକଟରେ ଖାଦ୍ୟ ନାହିଁ କି ପାଣି ନାହିଁ। ତୁହାକୁ ତୁହା ବିସ୍ଫୋରଣ ଶଦ୍ଧ ଶୁଣାଯାଉଥିବାରୁ ସେମାନେ ଖୁବ୍‌ ଭୟରେ ଅଛନ୍ତି। ତେବେ ଦୂତାବାସ ପକ୍ଷରୁ ସେମାନଙ୍କ ସହ ଯୋଗାଯୋଗ କରାଯାଇ ଆଶ୍ବାସନା ଦିଆଯାଇଛି।

ଆମର ଯାହା ହେବ ସରକାର ଦାୟୀ ରହିବେ
ସରକାରଙ୍କ ଅନୁରୋଧ: ବାହାରକୁ ବାହାରନି, ସୁରକ୍ଷିତ ସ୍ଥାନରେ ରୁହ
ସୁରକ୍ଷିତ କରିଡର ପାଇଁ ରୁଷ୍‌, ୟୁକ୍ରେନ୍‌ ସହ କଥାବାର୍ତ୍ତା ଜାରି

ଭାରତୀୟ ଛାତ୍ରଙ୍କର ଭଡିଓ ପୋଷ୍ଟ୍‌ ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଛାତ୍ରଙ୍କୁ ସୁରକ୍ଷିତ ଫେରାଇବାପାଇଁ ରୁଷ୍‌ ଏବଂ ୟୁକ୍ରେନ୍‌ ଉପରେ ଯୁଦ୍ଧବିରତି ନିମନ୍ତେ ଚାପ ପକାଯାଉଛି। ବାଗ୍‌ଚି କହିଛନ୍ତି, ଆମ ଛାତ୍ରମାନଙ୍କୁ ସୁରକ୍ଷା ପଦକ୍ଷେପ ନେବାକୁ ପରାମର୍ଶ ଦେଇଛୁ। ସମସ୍ତଙ୍କୁ ସେଲ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଛାତ୍ରଙ୍କ ସହ ବିଦେଶ ମନ୍ତ୍ରାଳୟ ଏବଂ ଦୂତାବାସ ନିୟମିତ ଯୋଗାଯୋଗରେ ରହିଛନ୍ତି ବୋଲି ବ‌ାଗ୍‌ଚି କହିଛନ୍ତି। ଇତି ମଧ୍ୟରେ ରୁଷ୍‌ ୟୁକ୍ରେନ୍‌ର ୨ଟି ସହରରେ ଯୁଦ୍ଧବିରତି ଘୋଷଣା‌ କରିଥିଲା। ରୁଷ୍‌ ୟୁକ୍ରେନ୍‌ର ମରିପଲ୍‌ ଏବଂ ବଲନୋବଖା ସହର‌ରେ ଆଜି ୫ ଘଣ୍ଟା ପାଇଁ ଯୁଦ୍ଧବିରତି ଘୋ‌ଷଣା ହେବାପରେ ବହୁ ସଂଖ୍ୟା ନାଗରିକ ତୁରନ୍ତ ସହର ଛାଡ଼ିଥିଲେ। ସୁମିରେ ମଧ୍ୟ ସେହିଭଳି ଯୁଦ୍ଧ ବିରତି ପାଇଁ ଉଭୟ ରାଷ୍ଟ୍ରକୁ ଦିଆଯାଇଥିବା ପ୍ରସ୍ତାବ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବା ଆଶା ରହିଛି। ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଜରୁରୀ ପଦକ୍ଷେପ ଗ୍ରହଣ ହୋଇଛି।

ସମ୍ବନ୍ଧିତ ଖବର