ଜାତିସଂଘର ଗାଡ଼ି ଭିତରେ ଯୌନ କାର୍ଯ୍ୟକଳାପରେ ମାତିଲେ କାର୍ଯ୍ୟକର୍ତ୍ତା; ଭିଡିଓ ଭାଇରାଲ ହେବାପରେ ଆରମ୍ଭ ହେଲା ତଦନ୍ତ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଏକ ଗାଡ଼ିର ପଛ ସିଟ୍‌ରେ ଜନୈକ ପୁରୁଷ ଓ ଜନୈକା ମହିଳା ଖୋଲାଖୋଲି ଭାବେ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହିବା ଘଟଣା ଏବେ କରି ତମାମ୍‌ ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଲଜ୍ଜାଜନକ ଘଟଣାର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣାର ତଦନ୍ତ ଜାତିସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମିଳିତ ଜାତିସଂଘର ଏକ ସରକାରୀ ଗାଡ଼ିର ପଛସିଟରେ ଜଣେ ପୁରୁଷ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଭିଡିଓ ଅନଲାଇନରେ ଭାଇରାଲ ହେବାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଭାଇରାଲ ହୋଇଥିବା ଯୌନ କାର୍ଯ୍ୟକଳାପ ସଂପର୍କିତ ଏହି ଭିଡିଓ କ୍ଲିପ୍‌ଟି ଇସ୍ରାଏଲ ତେଲଆଭିଭ୍‌ର ଏକ ବ୍ୟସ୍ତବହୁଳ ରାସ୍ତାରୁ ଉଠା ଯାଇଥିବା ଘଟଣାର ପ୍ରାଥମିକ ତଦନ୍ତ ପରେ ଜାତିସଂଘ ପକ୍ଷରୁ କୁହାଯାଇଛି।

ଭାଇରାଲ ହୋଇଥିବା ଭିଡିଓରେ, ନାଲି ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ମହିଳା ଜଣେ ପୁରୁଷଙ୍କ କୋଳରେ ବସି ଯୌନ କାର୍ଯ୍ୟକଳାପରେ ଲିପ୍ତଥିବା ନଜର ଆସିଛନ୍ତି। ଏବଂ ଏହି ଆପତ୍ତଜନକ କାର୍ଯ୍ୟ ଅବ୍ୟାହତ ରହିଥିବା ବେଳେ ଗାଡ଼ିର ଆଗ ସିଟରେ ଜଣେ ଚନ୍ଦାମୁଣ୍ଡିଆ ବ୍ୟକ୍ତି ବସି ରହିଛନ୍ତି। ଗାଡ଼ିର ନମ୍ବର ପ୍ଲେଟ ତଳକୁ ମିଳିତ ଜାତିସଂଘ ଟ୍ରୁସ ସୁପରଭିଜନ ଅର୍ଗାନାଇଜେସନ୍‌ (ୟୁଏନ୍‌ଟିଏସ୍‌ଓ) ଲେଖାଯାଇଛି।

ଏ ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ଜାତିସଂଘ ମୁଖପାତ୍ର ଷ୍ଟେଫେନ ଡୁଜାରିକ୍‌ କହିଛନ୍ତି ଯେ ଏହି କାର୍ଯ୍ୟ ଏକ ଘୃଣ୍ୟ କାର୍ଯ୍ୟ ଏବଂ ଆମେ ଏହାକୁ ନିନ୍ଦା କରୁଛୁ। ଏହି ଘଟଣାରେ ଜାତିସଂଘ ଚକିତ ହୋଇଛି ଏବଂ ଏହି ଘଟଣା ଆମକୁ ଗଭୀର ଭାବରେ ବିବ୍ରତ କରିଛି। ଜାତିସଂଘର ଆଭ୍ୟନ୍ତରୀଣ ତଦାରଖ କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ ଆମେ ଏହି ଭିଡିଓରେ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାର ଖୁବ୍‌ ନିକଟବର୍ତ୍ତୀ ଏବଂ ତଦନ୍ତ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ଗଣମାଧ୍ୟମକୁ କହିଛନ୍ତି ଡୁଜାରିକ୍‌।

ସମ୍ବନ୍ଧିତ ଖବର