ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିବାହ ଅନୁଷ୍ଠାନରେ ଉଡ଼ନ୍ତା ଚୁମ୍ବନ ଦେବା ସହ ଶୂନ୍ୟରେ ଟଙ୍କା ଉଡ଼ାଇ ଜଣେ ଯୁବତୀଙ୍କ ସହିତ ନୃତ୍ୟ କରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଦଳ ଅପମାନିତ ହୋଇଛି।

Advertisment

ଲଜ୍ଜିତ ‘ଜନତା ଦଳ ୟୁନାଇଟେଡ୍‌’ (ଜେଡିୟୁ) ସେ ବିଧାୟକଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ଓ ତାଙ୍କ ପଦବୀର ମର୍ଯ୍ୟାଦା ବଜାୟ ରଖିବାକୁ ନିର୍ଦେଶ ଦେଇଥିବା କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ବିହାର ବିଧାନସଭାରେ ଭାଗଲପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ଗୋପାଳ ମଣ୍ଡଳ ତାଙ୍କୁ କୁର୍ତ୍ତା ଟେକି ନୃତ୍ୟ ପରିବେଶଣ କରିବା ପାଇଁ ଆସିଥିବା ଜଣେ ଯୁବତୀଙ୍କ ହାତ ଧରି ନାଚୁଥିଲେ। କୁହାଯାଉଛି, ଭାଗଲପୁର ଜିଲ୍ଲା ଅନ୍ତର୍ଗତ ଫତେପୁର ଗ୍ରାମରେ ଚାଲିଥିବା ଏକ ବିବାହ ଭୋଜିରେ ବିଧାୟକଙ୍କ ନୃତ୍ୟର ଦୃଶ୍ୟ ତାଙ୍କ ବିରୋଧିମାନେ ଉତ୍ତୋଳନ କରିଥିଲେ।

ମଞ୍ଚରେ ବସିଥିବା ବିଧାୟକ ଗୋପାଳ ମଣ୍ଡଳ ଉଠିପଡ଼ି ଉକ୍ତ ନୃତ୍ୟାଙ୍ଗନାଙ୍କ ସହ ନାଚ କରିଥିଲେ। ବିଧାୟକଙ୍କ ପାଖରେ ବସିଥିବା ଦୁଇଜଣ ବ୍ୟକ୍ତି ମଧ୍ୟ ଉଠିଯାଇ ସ୍ବଳ୍ପ ସମୟ ପାଇଁ ନୃତ୍ୟ କରିଥିଲେ।

publive-image Image Courtesy of Zee News

ସମାଲୋଚିତ ହେବା ପରେ ଦଳରୁ ଭର୍ତ୍ସନା ଶୁଣି ଗୋପାଳ ମଣ୍ଡଳ କହିଥିଲେ ଯେ, ନୃତ୍ୟ ପ୍ରତି ମୋର ଥିବା ଆବେଗ ଏଥିପାଇଁ ଦାୟୀ। ମୁଁ ସର୍ବସାଧାରଣରେ କାହିଁକି ନୃତ୍ୟ କରୁଛି ବୋଲି ଆଗରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଚାରିଥିଲେ। ଗୀତର ତାଳ ଶୁଣିଲେ ମୁଁ ସମ୍ଭାଳି ହୋଇ ରହିପାରେ ନାହିଁ। ଜଣେ ଶିଳ୍ପୀକୁ କେହି ନୃତ୍ୟ କରିବାରେ ବାଧା ଦେଇ ପାରିବେ ନାହିଁ।

ସର୍ବସାଧାରଣରେ ନୃତ୍ୟ କରିବା ମଣ୍ଡଳଙ୍କ କ୍ଷେତ୍ରରେ ଏଇଟା ନୂଆ କଥା ନୁହେଁ। ଫେବ୍ରୁଆରି ମାସରେ ମଧ୍ୟ ବିଧାୟକ ମଣ୍ଡଳ ଗୋଟାଏ ବିବାହ ଭୋଜିରେ ବଲିଉଡ୍‌ ହିଟ୍‌ ‘ଦିଲ୍‌ୱାଲି ଗାର୍ଲଫ୍ରେଣ୍ଡ୍‌’ରେ ନୃତ୍ୟ କରୁଥିବାର ଦୃଶ୍ୟ ଭିଡିଓ ହୋଇଥିଲା।

ଏହାଛଡ଼ା, ଗତବର୍ଷ ଟ୍ରେନ୍‌ ଯାତ୍ରା ସମୟରେ ଅଣ୍ଡର୍‌ୱୟର୍‌ ପିନ୍ଧି ବୁଲାଚଲା କରିଥିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପଚରା ଯିବାରୁ ସେ କହିଥିଲେ କି, ଲାଳରକ୍ତ ଝାଡ଼ା ହେବାରୁ ପେଟ ଖରାପ ହୋଇଥିଲା। ଟ୍ରେନ୍‌ ଯାତ୍ରା ଆରମ୍ଭ କରିବାକ୍ଷଣି ମତେ ୱାସ୍‌ରୁମ୍‌ ଯିବାକୁ ପଡ଼ିଲା। ତେଣୁ ମୁଁ କୁର୍ତ୍ତା ଓ ପାଇଜାମା ଓହ୍ଲାଇ ଟଏଲେଟ୍‌କୁ ଦୌଡ଼ି ଯାଇଥିଲି।