ମହିଳା ଏବଂ ଶିଶୁ ବସିଥିବା କାର୍ଟିକୁ ଟ୍ରାଫିକ୍ କନେଷ୍ଟବଳ ଟାଣିବା ଭିଡିଓ ଭାଇରାଲ୍
ମୁମ୍ବାଇ: ଗୋଟିଏ କାର୍ର ପଛ ସିଟ୍ରେ ଏକ ଶିଶୁ ସହ ଜଣେ ମହିଳା ବସିଥିବାବେଳେ ତାହାକୁ ଜଣେ ଟ୍ରାଫିକ୍ କନେଷ୍ଟବଳ ଟାଣି ଟାଣି ନେଉଥିବାର ଭିଡିଓ କ୍ଲିପ୍ ଫେସ୍ବୁକ୍ରେ ଭାଇରାଲ୍ ହୋଇଛି।
ଅଣ-ପାର୍କିଙ୍ଗ୍ ଜୋନ୍ରେ ଏକ କାର୍ ପାର୍କିଙ୍ଗ୍ ହୋଇଥିବା ଟ୍ରାଫିକ୍ ପୁଲିସ ଦେଖିବା ପରେ ପଶ୍ଚିମ ମାଲାଡ୍ ଅନ୍ତର୍ଗତ ଏସ୍ ଭି ରୋଡ୍ରେ ଶୁକ୍ରବାର ଦିନ ସନ୍ଧ୍ୟା ସାଢ଼େ ପାଞ୍ଚଟାବେଳେ ଏହି ଘଟନା ଘଟିଛି।
ଟାଓଇଙ୍ଗ୍ ଭ୍ୟାନ୍ରେ ବସିଥିବା ଟ୍ରାଫିକ୍ କନେଷ୍ଟବଳ ଶଶାଙ୍କ ରାଣେ ମାଲାଡ୍ ପୁଲିସଙ୍କ ସହ ପୁଲିସ କଣ୍ଟ୍ରୋଲ୍ ରୁମ୍କୁ ଜଣାଇଥିଲେ କି, ସେ ମହିଳା ଏବଂ ତାଙ୍କ ସ୍ୱାମୀ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ଦେବାକୁ ଉଦ୍ୟମ କରୁଛନ୍ତି।
ଶନିବାର ଦିନ ଜ୍ୟୋତି ମାଲି ନାମ୍ନୀ ଉକ୍ତ ମହିଳା ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଟାଓଇଙ୍ଗ୍ ଗାଡ଼ିରେ ବନ୍ଧା ଯିବା ପୂର୍ବରୁ ସେ କାର୍ ଭିତରେ ବସିଥିଲେ। ଜରିମାନା ଅର୍ଥ ନେଇ କାର୍ ଛାଡ଼ି ଦେବାକୁ ମୋ ସ୍ୱାମୀ ଟ୍ରାଫିକ୍ କନେଷ୍ଟବଳଙ୍କୁ ଅନୁରୋଧ କଲେ। ଆମ ଛଆ ଅସୁସ୍ଥ ଥିବାରୁ ଆମେ ଡାକ୍ତରଙ୍କ ପାଖକୁ ଯାଉଥିଲୁ। କିନ୍ତୁ ଟ୍ରାଫିକ୍ କନେଷ୍ଟବଳ ଜିଦ୍ଦିରେ ଆମ କଥାକୁ କର୍ଣ୍ଣପାତ କଲେ ନାହିଁ।
ଭିଡିଓରେ ଦେଖାଯାଉଛି: ପଛ ସିଟ୍ରେ ବସି ଅସୁସ୍ଥ ପିଲାକୁ ସ୍ତନ୍ୟପାନ କରାଉଥିବା ମହିଳାଜଣକ ପାଟିକରି ଟ୍ରାଫିକ୍ କନେଷ୍ଟବଳଙ୍କୁ ଗାଡ଼ି ଅଟକାଇବାକୁ କହୁଛି। ସ୍ଥାନୀୟ ପୁଲିସ ଘଟନାସ୍ଥଳରେ ପହଞ୍ଚିବା ପରେ ସମସ୍ୟା ସମାଧାନ କରାଯାଇଥିଲା।
ଭିଡିଓ ରେକର୍ଡିଙ୍ଗ୍ କରିଥିବା ବ୍ୟକ୍ତି ସେ କ୍ଲିପ୍ରେ ଅଭିଯୋଗ କରିଛନ୍ତି ଯେ ଦମ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ନିମନ୍ତେ ଟ୍ରାଫିକ୍ କନେଷ୍ଟବଳ ଲାଞ୍ଚ ଚାହୁଁଥିଲେ। କିନ୍ତୁ, ମାଲାଡ୍ ଟ୍ରାଫିକ୍ ପୁଲିସ ଅଧିକାରୀ କହିଛନ୍ତି ସେ କନେଷ୍ଟବଳ ମହିଳାଙ୍କ ସ୍ୱାମୀଙ୍କ ଉପରେ ଫାଇନ୍ କରିଛନ୍ତି।
ତଦନ୍ତ କରି ରବିବାର ସୁଦ୍ଧା ରିପୋର୍ଟ ଦେବାକୁ ପଶ୍ଚିମ ଉପନଗରର ଟ୍ରାଫିକ୍ ଡିସିପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା ବୋଲି ଜଏଣ୍ଟ୍ ଟ୍ରାଫିକ୍ ପୁଲିସ କମିସନର୍ କହିଛନ୍ତି। ସମ୍ପୃକ୍ତ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।