ଇନ୍ଦୋର: ମଧ୍ୟପ୍ରଦେଶର ରୀୱା ଥାନା ହାନାଉଟା କୋଠାର ଗ୍ରାମରେ ଜମି ବିବାଦକୁ ନେଇ ଦୁଇ ମହିଳାଙ୍କୁ ଜିଅନ୍ତା ପୋତିଦେବାର ପ୍ରୟାସ କରାଯାଉଥିବାର ଭିଡିଓ ସାମନାକୁ ଆସିଛି | ଏହି ଭିଡିଓ ଭାଇରାଲ ହେବା ପରେ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି | ଡମ୍ପରରୁ ମାଟି ଢାଳି ଦୁଇ ମହିଳାଙ୍କୁ ଜୀବନ୍ତ କବର ଦେବା ଉଦ୍ୟମ ସାମ୍ନାକୁ ଆସିଛି। ତେବେ ପୁଲିସର ତତ୍ପରତା ହେତୁ ଏହା ହୋଇପାରିନଥିଲା। ଏହି ପ୍ରସଙ୍ଗରେ ପୁଲିସ ଅଧୀକ୍ଷକ ବିବେକ ସିଂ କହିଛନ୍ତି ଯେ ଏହା ଏକ ପାରିବାରିକ ବିବାଦ। ଏହି ମାମଲାରେ ପୁଲିସ ଡମ୍ପରକୁ ଜବତ କରିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସନ୍ଧାନ ଚାଲିଥିବାବେଳେ ଅଭିଯୁକ୍ତ ବିପିନ ପାଣ୍ଡେଙ୍କୁ ପୁଲିସ ଗିରଫ କରିଛି। ମହିଳାମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି।

Advertisment

ଅଭିଯୋଗକାରୀ ଆଶା ପାଣ୍ଡେଙ୍କ ସ୍ୱାମୀ ସୁରେଶ ପାଣ୍ଡେ ପୁଲିସକୁ କହିଛନ୍ତି ଯେ ବିବାଦୀୟ ରାସ୍ତାକୁ ନେଇ ଏହି ଘଟଣା ଘଟିଛି । ସେ କହିଛନ୍ତି ଯେ ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଗଉରନ ପାଣ୍ଡେ ଏବଂ ବିପିନ ପାଣ୍ଡେ ବିବାଦୀୟ ଜମିରେ ରାସ୍ତା ନିର୍ମାଣ ପାଇଁ ଡମ୍ପର ମାଟି ଆଣିଥିଲେ। ଯେଉଁଠାରେ ଆଶା ପାଣ୍ଡେ ଓ ତାଙ୍କ ବୋହୂ ମମତା ପାଣ୍ଡେ ଏହାକୁ ବିରୋଧ କରିଥିଲେ | ଯେତେବେଳେ ଡମ୍ପର ଡ୍ରାଇଭର ଉଭୟଙ୍କ କଥା ଶୁଣିଲେ ନାହିଁ, ସେମାନେ ସେହି ସ୍ଥାନରେ ଡମ୍ପର ପଛରେ ବସିଯାଇଥିଲେ | ଆଉ ଡମ୍ଫର ଡ୍ରାଇଭର ଉଭୟଙ୍କ ଉପରେ ମାଟି ପକାଇ ଦେଇଥିଲା | ଦୁହେଁ ବେକ ଯାଏଁ ଫସିଯାଇଥିବାବେଳେ ଡମ୍ଫର ଡ୍ରାଇଭର ଖସି ପଳାଇଥିଲା | ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିଥିଲେ |