ଦାମୀ ମଦ ଦିଅ, କାମ କରିବି: ତହସିଲଦାର ଚାଷୀଙ୍କୁ ମଦ ମାଗୁଥିବାର ଭିଡିଓ ଭାଇରାଲ

ରାୟପୁର: ଦାମୀ ମଦ ଦିଅ, ତୁମ କାମ କରିଦେବି | ଜଣେ ଚାଷୀଙ୍କୁ କିଛି ଏଭଳି ଲାଞ୍ଚ ମାଗୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଛତିଶଗଡର ବିଳାସପୁରର ମସ୍ତୁରୀ ତହସିଲ ତହସିଲଦାର ଜଣେ ଚାଷୀଙ୍କଠାରୁ ଲାଞ୍ଚରେ ଦାମୀ ବ୍ରାଣ୍ଡେଡ୍ ମଦ ମାଗିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ବିଳାସପୁର ଜିଲ୍ଲାର ମସ୍ତୁରୀ ତହସିଲ କାର୍ଯ୍ୟାଳୟର ତହସିଲଦାର ରମେଶ କୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି |

ଏହି ଭିଡିଓରେ ତହସିଲଦାର କାମ କରିବା ବଦଳରେ ବିଦେଶୀ ମଦ ବ୍ଲେଣ୍ଡରସ ପ୍ରାଇଡ ଆଣିବାକୁ କହୁଛନ୍ତି। ସୂଚନା ଅନୁଯାୟୀ ଚାଷୀ ତାଙ୍କ ଜମି ସହ ଜଡିତ ଏକ ସମସ୍ୟାର ସମାଧାନ କରିବାକୁ ତହସିଲଦାର ରମେଶ କୁମାରଙ୍କ ପାଖକୁ ଯାଇଥିଲେ । ସେଠାରେ ରମେଶ ଚାଷୀଙ୍କୁ କାମ ବଦଳରେ ବିଦେଶୀ ମଦର ମୂଲ୍ୟ ପଚାରିଥିଲେ ଏବଂ ଏହାକୁ ଆଣିବାକୁ କହିଥିଲେ। ତେବେ ଚାଷୀ ଜଣକ ଏହା ଆଣିବାକୁ ଅସମର୍ଥ ବୋଲି କହିବାରୁ ତହସିଲଦାର ତାଙ୍କୁ କାର୍ଯ୍ୟାଳୟରୁ ବାହାରିଯିବାକୁ କହିଥିଲେ |

ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଡକ୍ଟର ସାରାଂଶ ମିତର ରମେଶ କୁମାରଙ୍କୁ ନିଲମ୍ବନ କରିଛନ୍ତି ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ସରକାରୀ କର୍ମଚାରୀଙ୍କ ଆଚରଣ ଜନସାଧାରଣଙ୍କ ସ୍ୱାର୍ଥରେ ନଥାଏ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର