ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଅତିଥିମାନଙ୍କ ଆଗମନ ପ୍ରକ୍ରିୟା ଜାରି ରହିଛି। ଜଣେ ପରେ ଜଣେ ବିଦେଶୀ ଅତିଥି ଆସି ସମ୍ମିଳନୀ ପାଇଁ ଦିଲ୍ଳୀରେ ପହଞ୍ଚୁଛନ୍ତି। ଏହି କ୍ରମରେ ଗୁରୁବାର ଦିନ ଆଇଏମ୍ଏଫ୍ (ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର ପରିଚାଳନା ନିର୍ଦ୍ଦେଶିକା (ଏମ୍‌ଡି) କ୍ରିଷ୍ଟାଲିନା ଜର୍ଜିଆଭା ଜି -୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଦିଲ୍ଲୀର ସମ୍ପୃକ୍ତ ଅଧିକାରୀମାନେ ଭବ୍ୟ ସ୍ୱାଗତ କରିଥିଲେ। ତେବେ ଏହି ସମୟରେ କ୍ରିଷ୍ଟାଲିନା ଯାହା କରିଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଭାରତର ବିଭିନ୍ନ ଅଞ୍ଚଳର ଲୋକ ନୃତ୍ୟ ଉପସ୍ଥାପନ କରାଯାଉଥିଲା। ଏହି ସମୟରେ, ଯେତେବେଳେ ଆଇଏମ୍ଏଫର ପରିଚାଳନା ନିର୍ଦ୍ଦେଶିକା ଦିଲ୍ଲୀରେ ପହଞ୍ଚିଲେ ତ ଏକ ନୃତ୍ୟଶିଳ୍ପୀ ଦଳ ‘ଡାଲଖାଇ’ (ଓଡିଶାର ଆଦିବାସୀମାନଙ୍କର ଏକ ଲୋକପ୍ରିୟ ଲୋକ ନୃତ୍ୟ) ଉପସ୍ଥାପନ କରୁଥିଲେ। ଏହାକୁ ଦେଖି କ୍ରିଷ୍ଟାଲିନା ବହୁତ ଖୁସି ହୋଇ ଯାଇଥିଲେ ଓ ସେ ମଧ୍ୟ ଗୀତର ତାଳେ ତାଳେ ନିଜର ପାଦ ମିଳାଇଥିଲେ।

କ୍ରିଷ୍ଟାଲିନା ସେଠାରେ କିଛି ସମୟ ରହି ନୃତ୍ୟଶିଳ୍ପୀମାନଙ୍କୁ ଦେଖିଲେ ଏବଂ ତା’ପରେ ସେ ନିଜେ ନାଚିବାକୁ ଚେଷ୍ଟା କଲେ। କ୍ରିଷ୍ଟାଲିନା ଜର୍ଜିଆଭା ନିଜକୁ ଓଡ଼ିଆ ଲୋକଗୀତର ତାଳେ ତାଳେ ନାଚିବାକୁ ଅଟକାଇ ପାରିଲେନାହିଁ।
ଉଲ୍ଲେଖଯୋଗ୍ୟ, ଏଥର ଭାରତ ଜି -୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି। ଏହି ସମ୍ମିଳନୀ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଠାରୁ ଆରମ୍ଭ କରି ସାଜସଜ୍ଜା ପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ କିଛି ବି ଅଭାବ ରଖାଯାଇନାହିଁ। ସମଗ୍ର ଦିଲ୍ଲୀ ଆଲୋକମୟ ହୋଇଛି। ଏଥିସହ ସବୁ ସ୍ଥାନରେ ପୁଲିସ ମୁତୟନ କରାଯାଇଛି।