ୱାସିଂଟନ୍‌: ନିର୍ଭରଯୋଗ୍ୟ ଭିତ୍ତିଭୂମି, ଭିନ୍ନ ସଂସ୍କୃତି ଓ ମନୋରଞ୍ଜନ ଏବଂ ଉନ୍ନତ ତଥା ତ୍ରୁଟିଶୂନ୍ୟ ଶିକ୍ଷା ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ସେବା ଯୋଗୁଁ ୨୦୨୩ ବର୍ଷ ନିମନ୍ତେ ଅଷ୍ଟ୍ରିଆର ରାଜଧାନୀ ନଗରୀ ଭିଏନା ଶ୍ରେଷ୍ଠ ବାସୋପଯୋଗୀ ସହର ମାନ୍ୟତା ପାଇଥିବା କଥା ‘ଦି ଇକୋନୋମିଷ୍ଟ୍‌ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’ (ଇଆଇୟୁ) ପ୍ରକାଶ କରିଥିବା ତାଲିକାରେ ଉଲ୍ଲେଖ ଅଛି।

Advertisment

ସ୍ବାସ୍ଥ୍ୟ ସେବା, ଶିକ୍ଷା, ଭିତ୍ତିଭୂମି ଓ ପରିବେଶ ସମେତ କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଧାରରେ ପ୍ରସ୍ତୁତ ଏହି ତାଲିକାରେ କ୍ରମାନୁସାରେ ବିଶ୍ବର ୧୭୩ଟି ଦେଶର ସହରଗୁଡ଼ିକ ସ୍ଥାନିତ ହୋଇଛି।

ସେଥିରେ ଥିବା ୫ଟି ଭାରତୀୟ ସହର ହେଉଛି- ବେଙ୍ଗାଲୁରୁ, ଅହମଦାବାଦ, ଚେନ୍ନାଇ, ନୂଆଦିଲ୍ଲୀ ଓ ମୁମ୍ବାଇ। ଏମାନଙ୍କ ମଧ୍ୟରୁ ମୁମ୍ବାଇ ଓ ନୂଆଦିଲ୍ଲୀର ସ୍ଥାନ ହେଉଛି ୬୦ ନମ୍ବରରେ।

‘ଇଆଇୟୁ’ ହେଉଛି ‘ଦି ଇକୋନୋମିଷ୍ଟ୍‌’ ଗ୍ରୁପ୍‌ର ଆଉ ଏକ ପ୍ରତିଷ୍ଠାନ ଯିଏ ପ୍ରତିବର୍ଷ ‘ଗ୍ଲୋବାଲ୍‌ ଲିଭେବିଲିଟି ଇଣ୍ଡେକ୍ସ୍‌’ ପ୍ରକାଶ କରିଥାଏ।

ଚଳିତ ବର୍ଷ ଭିଏନା ଏହି ତାଲିକାର ସର୍ବାଗ୍ରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଡେନ୍‌ମାର୍କର କୋପେନ୍‌ହେଗେନ୍‌, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ ଓ ସିଡ୍‌ନି।

ଏହି ତାଲିକାର ଶ୍ରେଷ୍ଠ ୧୦ ସହରରେ ରହିଛି କାନାଡାର ସବୁଠୁ ଅଧିକ ସହର- କେଲ୍‌ଗାରି, ଭ୍ୟାଙ୍କୋଭର୍‌ ଏବଂ ଟରଣ୍ଟୋ। ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛନ୍ତି ସୁଇଜର୍‌ଲାଣ୍ଡ୍‌ର ଜୁରିଚ୍‌ ଓ ଜନିଭା ସହର। ୧୦ମ ସ୍ଥାନରେ ରହିଛି ଜାପାନର ଓସାକା ନଗରୀ।