ନୂଆଦିଲ୍ଲୀ: ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍ କରିବା, ଷ୍ଟୋର କରିବା ଏବଂ ଦେଖିବା ପୋକ୍ସୋ ଆଇନ ଅଧୀନରେ ଏକ ଅପରାଧ। ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଏହା କହିଛନ୍ତି। ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍ କରିବା ଏବଂ ଦେଖିବା ଦଣ୍ଡନୀୟ ଅପରାଧ ନୁହେଁ ବୋଲି ପୂର୍ବରୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍କୋର୍ଟ ଖାରଜ କରିଦେବା ସହ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଜାନୁଆରି ୧୧ ତାରିଖରେ ମାଡ୍ରାସ ହାଇକୋର୍ଟ ଚେନ୍ନାଇର ଏସ୍ ହରିଶ(୨୮) ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ବିଚାରଣ ରଦ୍ଦ କରିଦେଇଥିଲେ। ନିଜ ମୋବାଇଲ ଫୋନ୍ରେ ସେ ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ବିଚାରଣ ଚାଲିଥିବାବେଳେ ମାଡ୍ରାସ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ। ତେବେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି କହିଛନ୍ତି, ମାଡ୍ରାସ ହାଇକୋର୍ଟ ଏଭଳି ରାୟ ଦେଇ ଏକ ବଡ଼ ଭୁଲ୍ କରିଦେଇଥିଲେ। ଚେନ୍ନାଇର ଏହି ବ୍ୟକ୍ତିଙ୍କ ବିରୋଧରେ ସୁପ୍ରିମକୋର୍ଟ ପୂନଃ ବିଚାରଣ ଆରମ୍ଭ କରିବା ସହ କହିଛନ୍ତି ଯେ ଶିଶୁ ପର୍ନୋଗ୍ରାଫି ଛାପିବା, ସେୟାର କରିବା ପୂର୍ବରୁ ଅପରାଧ ଥିଲା ଏବଂ ଏବେ ଏଥିରେ ଶିଶୁ ପର୍ନୋଗ୍ରାଫି ସୃଷ୍ଟି କରିବା ଏବଂ ଡାଉନଲୋଡ୍ କରିବା ଯୋଡ଼ି ହେଲା।
‘ଚାଇଲ୍ଡ ପର୍ନୋଗ୍ରାଫି’ ଶବ୍ଦକୁ ବଦଳାଇ ଏହି ସ୍ଥାନରେ ‘ଚାଇଲ୍ଡ ସେକ୍ସୁଆଲି ଆବ୍ୟୁସିଭ୍ ଆଣ୍ଡ ଏକ୍ସପ୍ଲଏଟେଟିଭ୍ ମ୍ୟାଟେରିଆଲ’ ଶବ୍ଦ ବ୍ୟବହାର କରିବାପାଇଁ ଏକ ସଂଶୋଧନ ଆଣିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସେହିପରି କୌଣସି ବି କୋର୍ଟ ରାୟ ଦେବା ସମୟରେ ‘ଚାଇଲ୍ଡ ପର୍ନୋଗ୍ରାଫି’ ଶବ୍ଦ ବ୍ୟବହାର ନକରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ କହିଥିଲେ ଯେ ମାଡ୍ରାସ ହାଇକୋର୍ଟଙ୍କ ରାୟ ଏକ ଭୟଙ୍କର ତ୍ରୁଟି ଏବଂ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ମାଡ୍ରାସ ହାଇକୋର୍ଟ ଶିଶୁ ପର୍ନୋଗ୍ରାଫି ଦେଖୁଥିବା ଚେନ୍ନାଇ ବ୍ୟକ୍ତିଙ୍କ ବିରୋଧରେ ଥିବା ଅାପରାଧିକ ବିଚାରଣ ରଦ୍ଦ କରିବା ସହ କହିଥିଲେ ଯେ ଶିଶୁମାନେ ଆଜିକାଲି ପର୍ନ ଦେଖିବା ଆରମ୍ଭ କଲେଣି। ତେଣୁ ସେମାନଙ୍କୁ ଦଣ୍ଡିତ କରିବା ବଦଳରେ ସରକାର ସେମାନଙ୍କୁ ଶିକ୍ଷିତ କରିବାପାଇଁ ଅଧିକ କାର୍ଯ୍ୟ କରିବାକୁ ପଡ଼ିବ। ଏନ୍ଜିଓମାନଙ୍କର ଏକ ମେଣ୍ଟ ଜଷ୍ଟ ରାଇଟ୍ସ ଫର ଚିଲ୍ଡ୍ରେନ୍ ଆଲିଆନ୍ସ ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ଆଜି ଏହି ରାୟ ଦେଇଛନ୍ତି।