ନୂପୁରଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ ନେଇ ଆରବ ଜଗତରେ ଅସନ୍ତୋଷ, ପ୍ରତିବାଦ ଜଣାଇଲା କାତାର

ନୂଆଦିଲ୍ଲୀ : ବିଜେପିର ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ଧୀରେ ଧୀରେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହେବାରେ ଲାଗିଛି । ଏହି ଦୁଇ ସଦସ୍ୟଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ବେ ମାମଲା ଥଣ୍ଡା ପଡ଼ିବାର ନାଁ ଧରୁ ନାହିଁ ।

ଆଜି କାତାରର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଛି । ବିଜେପି ସଦସ୍ୟଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ କାତାର ନିନ୍ଦା କରୁଛି । ଏପରି ବ୍ୟକ୍ତିଙ୍କୁ ଦଣ୍ଡ ନ ଦେଲେ ତାହା ସମାଜରେ ହିଂସାକୁ ପ୍ରେତ୍ସାହିତ କରିବ । ମାନବ ଅଧିକାରର ସୁରକ୍ଷା ଦିଗରେ ବି ଏହା ବିପଦ ସୃଷ୍ଟି କରିବ ।

ଏହାର ଉତ୍ତରରେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ସଂପୃକ୍ତ ମନ୍ତବ୍ୟକୁ କୌଣସି ପ୍ରକାରେ ଭାରତ ସରକାରଙ୍କ ମନ୍ତବ୍ୟ ବୋଲି କୁହାଯାଇପାରିବ ନାହିଁ । ଏପରି ମନ୍ତବ୍ୟ କିଛି ହାତଗଣତି ଲୋକଙ୍କ ମନ୍ତବ୍ୟ । ଭାରତ ସରକାର ସବୁ ଧର୍ମ ପ୍ରତି ସମାନ ସମ୍ମାନ ରଖନ୍ତି ।

ଅନ୍ୟପକ୍ଷରେ ନୂପୁରଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ବିରୋଧରେ ସାଉଦି ଆରବ ଓ ୟୁଏଇରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ଲୋକମାନେ ବିଭିନ୍ନ ସୁପରମାର୍କେଟରେ ଥିବା ଭାରତୀୟ ଉତ୍ପାଦର ବହିଷ୍କାର କରିଛନ୍ତି ।

ସୂଚନାଯୋଗ୍ୟ ଯେ ବିଜେପି ପକ୍ଷରୁ ଆଜି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାବେଳେ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଛି ।

ସମ୍ବନ୍ଧିତ ଖବର