ଯଥେଷ୍ଟ ପ୍ରମାଣ ମିଳିଲେ ହିଁ ଆରୟନ ମାମଲାରୁ ସମୀରଙ୍କୁ ହଟାଇବା କଥା ଚିନ୍ତା କରିବୁ : ଏନସିବି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ : ଆରୟନ ଖାଁ ଡ୍ରଗ୍ସ ମାମଲାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ( ଏନସିବି) ମୁମ୍ବାଇ ଜୋନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େଙ୍କୁ ହଟାଇବା ନିଷ୍ପତ୍ତି ଅକାଟ୍ୟ ତଥ୍ୟ ପ୍ରମାଣ ମିଳିଲେ ହିଁ ନିଆଯିବ ବୋଲି ଏନସିବି ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।

ଏନସିବି ପକ୍ଷରୁ ଆଜି ସମୀରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଡ୍ରଗ୍ସ ମାମଲାର ସାକ୍ଷୀ ପ୍ରଭାବକ ସାଇଲଙ୍କ ଅଭିଯୋଗ ଅନୁସାରେ ଡ୍ରଗ୍ସ ମାମଲାରୁ ଆରୟନଙ୍କୁ ମୁକ୍ତ କରିବାକୁ ସମୀର ୨୫ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ ।

ଏହି ଲାଞ୍ଚ ଅଭିଯୋଗର ତଦନ୍ତ ପାଇଁ ଏନସିବି ଭିଜିଲାନ୍ସ ବିଭାଗର ଏକ ଦଳ ଆସନ୍ତା କାଲି  ସମୀରଙ୍କୁ ପଚରା ଉଚୁରା କରିବ । ଏହା ସହିତ ତଦନ୍ତ ପାଇଁ ଏକ ଭିଜିଲାନ୍ସ ଦଳ ମୁମ୍ବାଇ ଯିବ ।

ଏହା ପୂର୍ବରୁ ଆଜି ସମୀର ଓ୍ବାଙ୍ଖଡ଼େ ନୂଆଦିଲ୍ଲୀରେ ଥିବା ଏନସିବି ମୁଖ୍ୟାଳୟରେ ପହଞ୍ଚି ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଥିଲେ । ସେ ଦିଲ୍ଲୀର ଆରକେ ପୁରମସ୍ଥିତ ଏନସିବି ମୁଖ୍ୟାଳୟର ପଛଗେଟ ଦେଇ ପ୍ରବେଶ କରିଥିଲେ । ସେଠାରେ ସେ ପ୍ରାୟ ଦୁଇଘଣ୍ଟା ରହି ଏନସିବିର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସେ ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ ।

ଏୟାରପୋର୍ଟରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ ସେ ଆରୟନ ମାମଲାରେ ଆଇନ ଅନୁସାରେ କାର୍ଯ୍ୟ କରିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଉଠିଥିବା ଲାଞ୍ଚ ମଗା ଅଭିଯୋଗ ମାମଲରେ ତାଙ୍କୁ ଦିଲ୍ଲୀ ଡକରା ହୋଇନାହିଁ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର