ଡ୍ରେନେଜ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ: ଫ୍ରିଜ୍‌ ପରିବା ଟ୍ରେରୁ ମିଳିଲା ୭୫ ହଜାର ଟଙ୍କା

ସ୍ବାମୀ, ସ୍ତ୍ରୀଙ୍କ ନାମରେ ରହିଛି କୋଟିଏ ଟଙ୍କାର ୬ଟି ପ୍ଲଟ୍‌, ଟେକ୍ନିକାଲ ଵିଙ୍ଗ୍‌ର ସ୍ବତନ୍ତ୍ର ତଦନ୍ତ

କଟକ: ଭିଜିଲାନ୍ସ ଜାଲରେ ଫସିଛନ୍ତି କଟକ ଗଣ୍ତରପୁରସ୍ଥିତ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ ମନୋଜଙ୍କ ବାସଭବନ ସମତେ ୪ଟି ସ୍ଥାନରେ ଚଢଉ କରିଛି। ଯାଞ୍ଚ ସମୟରେ ମନୋଜଙ୍କ ଘରୁ ଦେଢ କିଲୋ ସୁନା ଅଳଙ୍କାର ସହ ଘରେ ଥିବା ଫ୍ରିଜ ଭିତରୁ ନଗଦ ୭୫ ହଜାର ଟଙ୍କା ଜବତ କରାଯାଇଛି। ଏହାସହ ତାଙ୍କର କଟକ, ଭୁବନେଶ୍ବରରେ ୬ଟି ବହୁ ମୂଲ୍ୟବାନ ପ୍ଲଟ ରହିଥିବା ଜଣାପଡିଛି।

୪ ଜଣ ଡିଏସପି ଓ ୮ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଭିଜିଲାନ୍ସର ୪ଟି ଟିମ ବୁଧବାର ସକାଳୁ ୪ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲେ। ମହାନଦୀବିହାରସ୍ଥିତ ଦୁଇ ମହଲା ଘର, ନେମାଳ ଥାନା ଅନ୍ତର୍ଗତ ପୈତୃକ ଗ୍ରାମ, ପାହାଳସ୍ଥିତ ଉତ୍କଳ ହାଇଟ୍‌ସର ଫ୍ଲାଟ ଏବ˚ ଗଣ୍ତରପୁରସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢଉ କରିଥିଲା। ଯାଞ୍ଚ ସମୟରେ ଭୁବନେଶ୍ବର ପିଏନ୍‌ବି ବ୍ୟାଙ୍କ ଲକରରୁ ୧ଲକ୍ଷ ୮୩ ହଜାର ୫୦୦ଟଙ୍କା, ଗଣ୍ତରପୁର ଏସ୍‌ବିଆଇ ଲକରରୁ ୧ଲକ୍ଷ ୨ହଜାର ଟଙ୍କା ଏବ˚ ମହାନଦୀବିହାର ଘର ଫ୍ରିଜ୍‌ର ପରିବା ଟ୍ରେ ଭିତରୁ ୭୫ ହଜାର ୫୦୦ ଟଙ୍କାକୁ ଭିଜିଲାନ୍ସ ରେକର୍ଡଭୁକ୍ତ କରିଥିଲା। ଏହା ବ୍ୟତୀତ ୧.୫୪୬ କେଜି ଓଜନର ସୁନା ଅଳଙ୍କାର ଭିଜିଲାନ୍ସ ପାଇଥିଲା। ଯାହାର ମୂଲ୍ୟ ପାଖାପାଖି ୬୨.୪୦ ଲକ୍ଷ ଟଙ୍କା ହେବ। ଏସବୁ ବାଦ୍‌ କଟକ ଓ ଭୁବନେଶ୍ବରର ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କ ନାମରେ ୬ଟି ସ୍ଥାନରେ ପ୍ଲଟ୍‌ଗୁଡ଼ିକୁ ଭିଜିଲାନ୍ସ ଠାବ କରିପାରିଛି। ଚନ୍ଦ୍ରଶେଶଖରପୁରରେ ୪୪ଲକ୍ଷ ଟଙ୍କାର ପ୍ଲଟ୍‌, ମହାନଦୀବିହାରରେ ୮.୬୪ଲକ୍ଷ ଟଙ୍କାର ପ୍ଲଟ, ଭୁବନେଶ୍ବରର ଜାଗମରାରେ ୨୦.୯୦ ଲକ୍ଷ ଟଙ୍କାର ଦୁଇଟି ପ୍ଲଟ, ଅନନ୍ତପୁରରେ ୧୨.୪୨ ଲକ୍ଷ ଟଙ୍କାର ପ୍ଲଟ, ଭାଣପୁରଠାରେ ୯.୨୦ଲକ୍ଷ ଟଙ୍କାର ପ୍ଲଟ ରେକର୍ଡଭୁକ୍ତ ହୋଇଛି। ସମସ୍ତ ପ୍ଲଟ୍‌ ଗୁଡ଼ିକର ମୂଲ୍ୟ ୯୫.୧୬ଲକ୍ଷ ଟଙ୍କା ହେବ। ତେବେ କବଲା ବାହାର କରିବା ବେଳେ ମୂଲ୍ୟ କମ୍‌ ଦର୍ଶାଯାଇଥିବା ଅନୁମାନ କରି ଭିଜିଲାନ୍ସ ପକ୍ଷରୁ ଏହା ଉପରେ ସ୍ବତନ୍ତ୍ର ତଦନ୍ତ କରାଯାଉଥିବା ସୂଚନା ମିଳିଛି। ଭିଜିଲାନ୍ସର ଟେକ୍ନିକାଲ ଵିଙ୍ଗ୍‌ ସମସ୍ତ ଜମି ଗୁଡ଼ିରର ମାପଚୁପ କରି ପ୍ରକୃତ ମୂଲ୍ୟ ବାହାର କରୁଥିବା କୁହାଯାଇଛି। ଏହା ବ୍ୟତୀତ ୩୧ ଲକ୍ଷ ଟଙ୍କାର ସ୍ଥାୟୀ ଜମା, ବ୍ୟାଙ୍କ ଓ ବୀମା ଜମା ରାଶି ମିଳିଥିଲା ବେଳେ ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରେକର୍ଡ କରାଯାଇଛି। ୧୧.୩୭ଲକ୍ଷ ଟଙ୍କାର ଘରୋଇ ଆସବାବପତ୍ରକୁ ଭିଜିଲାନ୍ସ ଖାତାକୁ ନେଇଥିବା ସୂଚନା ମିଳିଛି। ଆସନ୍ତାକାଲି ସୁଦ୍ଧା ଶ୍ରୀ ବେହେରାଙ୍କ ମୋଟ ସଂପତ୍ତି ସଂପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର