ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦ୍ବିତୀୟ ଦିନରେ କର୍ଣ୍ଣାଟକରେ ରୢାଲି କରିଛନ୍ତି। ଗତକାଲି ଶାହ ହାସନରେ ରୢାଲି କରିଥିବାବେଳେ ଆଜି ବଗଲକୋଟରେ ରୢାଲି କରିଛନ୍ତି। ବଗଲକୋଟ ରୢାଲିରେ ଉଦ୍‌ବୋଧନ ଦେଇ ଶାହ କଂଗ୍ରେସ ଏବଂ ଜେଡିଏସ୍‌ ଉପରେ ଆକ୍ରମଣ କରିଛନ୍ତି। ଶାହ କହିଛନ୍ତି, ଯଦି ଭୋଟରମାନେ ରାଜ୍ୟରେ ସର୍ବାଙ୍ଗୀନ ବିକାଶ , ଶାନ୍ତି ଏବଂ ସ୍ଥିରତା ଚାହୁଛନ୍ତି ତେବେ ସେମାନେ ବିଜେପିକୁ ଭୋଟ୍‌ ଦିଅନ୍ତୁ।

Advertisment

ଶାହ ଚେତାବନୀ ଦେଇ କହିଛନ୍ତି ଯେ ଯଦି କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରେ ତେବେ ରାଜ୍ୟରେ ଦୁର୍ନୀତି , ତୁଷ୍ଟୀକରଣ ରାଜନୀତି ଏବଂ ଦଙ୍ଗା ହେବ। ଶାହ କହିଛନ୍ତି, ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଉପରେ ନିର୍ଭର କରି କଂଗ୍ରେସ ନିର୍ବାଚନ ଜିତିବାକୁ ଚାହୁଛି। କିନ୍ତୁ ବିଜେପି ଛାଡ଼ିଥିବା ନେତାଙ୍କ ଉପ‌ରେ କଂଗ୍ରେସ ଯେଉଁ ଭରସା କରିଛି ସେଥିରୁ କଂଗ୍ରେସକୁ କିଛି ଫାଇଦା ମିଳିବନି। ବିଜେପି ଛାଡ଼ିଥିବା ନେତାମାନେ ନିର୍ବାଚନ ହାରିବେ ବୋଲି ଶାହ କହିଛନ୍ତି। ଶାହ ମଧ୍ୟ ଭୋଟରଙ୍କୁ କହିଛନ୍ତି ଯେ ଜେଡିଏସ୍‌କୁ ଭୋଟ୍‌ ଦେବାର ଅର୍ଥ ହେଉଛି କଂଗ୍ରେସକୁ ଭୋଟ୍‌ ଦେବା। ଯଦି ଆପଣଙ୍କ ଭୋଟ୍‌ କଂଗ୍ରେସକୁ ଯିବାପାଇଁ ଆପଣ ଚାହୁନାହାନ୍ତି ତେବେ ଆପଣ ବିଜେପିକୁ ଭୋଟ୍‌ ଦିଅନ୍ତୁ ବୋଲି ଶାହ କହିଛନ୍ତି। ଶାହ କହିଛନ୍ତି,ଚଳିତ ବିଧାନସଭା ନିର୍ବାଚନ କେବଳ ବିଧାୟକଙ୍କୁ ବାଛିବା ପାଇଁ ହୋଇନି ବରଂ ରାଜ୍ୟର ଭବିଷ୍ୟତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଛାଡ଼ିବା ପାଇଁ ଏହା ପ୍ରକୃଷ୍ଟ ସମୟ।