ବିଜୟ ମାଲ୍ୟା ଜଣେ ଘୋଷିତ ଅପରାଧୀ : ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ:  ଭାରତରୁ ପଳାୟନ କରିଥିବା ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଦିଲ୍ଲୀର ଏକ କୋର୍ଟ ଘୋଷିତ ଅପରାଧୀ ବୋଲି ଅଭିହିତ କରିଛନ୍ତି  । ଫେରା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ କୋର୍ଟ ପକ୍ଷରୁ ଜାରି ସମନକୁ ପାଳନ କରିନଥିବାରୁ କୋର୍ଟ ଏହି ଘୋଷଣା କରିଛନ୍ତି ।

ସମନର ୩୦ ଦିନ ମଧ୍ୟରେ କୋର୍ଟରେ ହାଜିର ହୋଇ ନଥିବାରୁ, କିମ୍ବା ଏ ସଂପର୍କରେ କୌଣସି ସୂଚନା ଦେଇନଥିବାରୁ ତାଙ୍କୁ  ପଳାତକ ଅପରାଧୀ ଘୋଷଣା କରାଗଲା ବୋଲି ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଦିପକ୍‌ ଶେରାଓ୍ଵତଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

କୋର୍ଟ ଗତ ବର୍ଷ ଏପ୍ରିଲ ମାସରେ ମାଲ୍ୟାଙ୍କ ବିରୋଧରେ ଖୋଲା ଜାମିନ ବିହୀନ ପରଓ୍ଵାନା ଜାରି କରିଥିଲେ । ସେହିପରି ୨୦୧୬ ନଭେମ୍ବର ୪ରେ ଜାମିନ ବିହୀନ ପରଓ୍ଵାନା ଜାରି କରି କୋର୍ଟ ଉଲ୍ଲେଖ କରିଥିଲେ ଯେ ଭାରତକୁ ଫେରିବାର ତାଙ୍କର କୌଣସି ଇଚ୍ଛା ନାହିଁ, ଭାରତର ଆଇନ ପ୍ରତି ତାଙ୍କର କୌଣସି ସମ୍ମାନ ନାହିଁ ।

୬୧ ବର୍ଷୀୟ ମାଲ୍ୟା ୨୦୧୬ ମାର୍ଚ୍ଚ ମାସରେ ଭାରତରୁ ପଳାୟନ କରି ବ୍ରିଟେନରେ ରହୁଛନ୍ତି । ଭାରତରେ ନିଜର ଦେବାଳିଆ ବିମାନସେବା କମ୍ପାନି କିଙ୍ଗଫିସର ଲାଗି ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଆଣି ପରିଶୋଧ ନ କରିବାରୁ ବ୍ୟାଙ୍କମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତବର୍ଷ ଏପ୍ରିଲ ମାସରେ ମନି ଲଣ୍ଡରିଙ୍ଗ୍ ବା ବେଆଇନ ଆର୍ଥିକ କାରବାର ଅଭିଯୋଗରେ ବ୍ରିଟେନର  ସ୍କଟ୍ଲ୍ୟାଣ୍ଡ ୟାର୍ଡ ପୋଲିସ୍ ବିଜୟ ମାଲ୍ୟାଙ୍କୁ ଗିରଫ କରିଥିଲା । ସେ ଏବେ ୬୫୦,୦୦୦ ପାଉଣ୍ଡର ବେଲ୍ ବଣ୍ଡରେ ଜାମିନରେ ଅଛନ୍ତି ।

ସମ୍ବନ୍ଧିତ ଖବର