ଜାନୁଆରି ୧୮ରେ ହେବ ବିଜୟ ମାଲ୍ୟା ଅଦାଲତ ଅବମାନନା ମାମଲାର ଚୂଡ଼ାନ୍ତ ବିଚାର: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ୧୮ ତାରିଖରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ନାମରେ ଥିବା ଅଦାଲତ ଅବମାନା ମାମଲାର ଚୂଡ଼ାନ୍ତ ବିଚାର କରାଯିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ’ ଅଧୀନସ୍ଥ ବ୍ୟାଙ୍କ୍‌ସମୂହରୁ ମାଲ୍ୟା ନେଇଥିବା ୯ କୋଟି ଟଙ୍କାରୁ ଅଧିକ ଋଣ ପରିଶୋଧ କରିନାହାନ୍ତି।

ବିଚାରପତି ୟୁ.ୟୁ. ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଆମେ ଯାହା କରିବାକୁ ଚାହୁଁଛୁ, ତାହା ହେ‌ଲା ଜାନୁଆରି ଦ୍ବିତୀୟ ସପ୍ତାହରେ ବିଚାର ପାଇଁ ଆମେ ଏହି ମାମଲାକୁ ତାଲିକାଭୁକ୍ତ କରିବୁ। କାରଣ ଆମେ ଦୀର୍ଘ ଦିନ ହେବ ଢେର୍‌ ଅପେକ୍ଷା କଲୁଣି, ଏବେ ଆଉ ଅପେକ୍ଷା କରିପାରିବୁ ନାହିଁ। କେବେ ନା କେବେ, ଏହି ମାମଲାର ବିଚାର ତ ହେବ ଏବଂ ବିଚାର ପ୍ରକ୍ରିୟାର ଅବସାନ ଘଟିବ।

ସୂଚନାଯୋଗ୍ୟ, ୨୦୧୭ରେ ମାଲ୍ୟା ଅଦାଲତ ବମାନନା ଲାଗି ଦୋଷୀ ସାବ୍ୟସ୍ତ ହୋଇଥିଲେ। ‘ଡିଆଜିଓ’ ସେ ପାଇଥିବା ୪୦ ନିୟୁତ ଡଲାର୍‌ ଅର୍ଥକୁ ସେ ତାଙ୍କ ପିଲାମାନଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍ସ୍‌ଫର୍‌ କରିଥିବା ହେତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। କେଉଁ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୪୦ ନିୟୁତ ଡଲାର୍‌ ଟ୍ରାନ୍‌ସଫର୍‌ ହୋଇଥିଲା, ତାହା ନ ଜଣାଇବାରୁ ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ ତାଙ୍କ ବିରୋଧରେ ପିଟିସନ୍‌ ଦାଏର କରିଥିଲା। ସେ ଉକ୍ତ ଟଙ୍କାକୁ ଉଠାଇ ନ ଥିଲେ ତାହା ବ୍ୟାଙ୍କ୍‌ ସମୂହରେ ଜମା ହୋଇ ଥାଆନ୍ତା।

ଗତବର୍ଷ ଅଗଷ୍ଟ ମାସରେ ମାଲ୍ୟାଙ୍କ ‘ରିଭ୍ୟୁ ପିଟିସନ୍‌’କୁ ସୁପ୍ରିମ୍‌ କୋର୍ଟ ଖାରଜ କରିଥିଲେ। ଦଣ୍ଡର ପରିମାଣ ଘୋଷଣା କରିବା ଲାଗି ବ୍ୟକ୍ତିଗତ ଭାବେ ସୁପ୍ରିମ୍‌ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ, ସେ ଇଂଲଣ୍ଡ୍‌ରେ ଆଇନଗତ ପ୍ରକ୍ରିୟା ଚାଲୁଥିବାରୁ ସେ ସୁପ୍ରିମ୍‌ କୋର୍ଟରେ ହାଜର ହୋଇପାରି ନ ଥିଲେ। ୨୦୧୬ରୁ ପଳାତକ ବ୍ୟବସାୟୀ ମାଲ୍ୟା ଇଂଲଣ୍ଡ୍‌ରେ ରହୁଛନ୍ତି।

ବିଚାରପତି ଏସ୍‌. ଆର୍‌. ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଗଠିତ ଉକ୍ତ ଖଣ୍ଡପୀଠ କହିଛନ୍ତି ଯେ, ଜାନୁଆରିରେ ବିଚାର ପାଇଁ ସୁପ୍ରିମ୍‌ କୋର୍ଟ ଏହି ମାମଲାକୁ ତାଲିକାଭୁକ୍ତ କରିବ। ଯଦି ସେତେବେଳେ ମାଲ୍ୟା ବ୍ୟକ୍ତିଗତ ଭାବେ ହାଜର ହେବାକୁ ଚାହାଁନ୍ତି, ପ୍ରତ୍ୟର୍ପଣ ପ୍ରକ୍ରିୟାରେ ସେ ଆସିପାରିବେ। ଯଦି ସେ ହାଜର ନ ହୁଅନ୍ତି ଖଣ୍ଡପୀଠ ତାଙ୍କ ଓକିଲଙ୍କ ଉପସ୍ଥିତିରେ ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୧୮ ତାରିଖରେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ କି, ଇଂଲଣ୍ଡରୁ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନିମନ୍ତେ ସରକାର ସବୁମତେ ଉଦ୍ୟମ କରୁଛନ୍ତି। କିନ୍ତୁ, ଏଥିରେ କେତେକ ଆଇନଗତ ସମସ୍ୟା ଥିବାରୁ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ବିଳମ୍ବ ଘଟୁଛି।

ସମ୍ବନ୍ଧିତ ଖବର