ମାଲ୍ୟାଙ୍କୁ ଝଟ୍‌କା : ପ୍ରତ୍ୟର୍ପଣ ପିଟିସନ ଖାରଜ

ନୂଆଦିଲ୍ଲୀ : ଭାରତର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ ହୋଇଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ବ୍ରିଟେନ୍‌ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ରାସ୍ତା ପ୍ରାୟତଃ ଫିଟିଯାଇଛି। ପୂର୍ବରୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ୨୦୧୮ ମସିହାରେ ସବୁଜ ସଙ୍କେତ ଦେଇଥିଲେ। କିନ୍ତୁ ଏହା ବିରୋଧରେ ମାଲ୍ୟା ବ୍ରିଟେନ୍ ହାଇକୋର୍ଟରେ ଆବେଦନ କରିଥିଲେ। ସେବେଠାରୁ ଏହି ମାମଲାର ବିଚାର ଚାଲିଥିଲା। ଆଜି ହାଇକୋର୍ଟ ରାୟ ଶୁଣାଇଛନ୍ତି।

ପ୍ରତ୍ୟାର୍ପଣ ଏଡ଼ାଇବାକୁ ମାଲ୍ୟାଙ୍କ ପାଖରେ ଆଉ କିଛି ହାତଗଣତି ବିକଳ୍ପ ରହିଛି। ଏବେ ସେ ବ୍ରିଟେନ୍‌ର ସୁପ୍ରିମକୋର୍ଟ ଯାଇପାରିବେ। କିନ୍ତୁ ସେଠାକୁ ଯିବା ପୂର୍ବରୁ ହାଇକୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ। ମାଲ୍ୟା ପ୍ରଥମେ ହାଇକୋର୍ଟରେ ଆବେଦନ କରି ସୁପ୍ରିମକୋର୍ଟ ଯିବା ପାଇଁ ଅନୁମତି ଲୋଡ଼ିବେ। ଯଦି ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେ‌ବେ‌ ତେବେ ସେ ଆଉ ବ୍ରିଟେନ୍‌ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ନାହିଁ। ଏହା ପରେ ତାଙ୍କ ପାଖରେ ବ୍ରିଟେନ୍‌ର ଗୃହ ମନ୍ତ୍ରୀ ପ୍ରୀତି ପଟେଲ୍‌ଙ୍କ ପାଖରେ ଗୁହାରି କରିବାର ଶେଷ ବିକଳ୍ପ ରହିବ। ପ୍ରୀତି ଚାହି‌ଲେ ମାଲ୍ୟାଙ୍କୁ ତୁରନ୍ତ ଭାରତ ପ୍ରତ୍ୟର୍ପଣ କରିବା ନିର୍ଦେଶ ଦେଇପାରିବେ। ବ୍ରିଟେନ ହାଇକୋର୍ଟରେ ଏହି ରାୟ ବିରୋଧରେ ଆବେଦନ କରିବା ଲାଗି ୧୪ ଦିନ ସମୟ ରହିଛି।

ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ପାଇଁ ବିଭିନ୍ନ ବ୍ୟାଙ୍କରୁ ନେଇଥିବା ପ୍ରାୟ ୯୦୦୦ କୋଟି ଟଙ୍କାର ଋଣ ପରିଶୋଧ ନକରି ମାଲ୍ୟା ୨୦୧୬ ମସିହାରେ ଲଣ୍ଡନ ପଳାଇଥିଲେ। ସେବେଠାରୁ ସେଠାରେ ରହି ଆସୁଛନ୍ତି। ତାଙ୍କୁ ଭାରତର ବିଭିନ୍ନ ତଦନ୍ତକାରୀ ସଂସ୍ଥା ଆଣିବା ପାଇଁ ପ୍ରଚେଷ୍ଟା ଚଳାଇ ଆସୁଛନ୍ତି।

ସମ୍ବନ୍ଧିତ ଖବର