୧୩, ୯୬୦ କୋଟି ଟଙ୍କାର ‘ସେଟ୍‌ଲ୍‌ମେଣ୍ଟ୍‌ ପ୍ୟାକେଜ୍’ ଅଫର୍‌ କରୁଛନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଲୀ: ଭାରତକୁ ପ୍ରତ୍ୟର୍ପଣ ହେବା ମାମଲାରେ ସମସ୍ତ ନ୍ୟାୟିକ ପ୍ରତିକାର ଶେଷ ହୋଇଯିବା ପରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଓକିଲ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ, ‘କନ୍‌ସର୍ଟିୟମ୍ ଅଫ୍ ବ୍ୟାଙ୍କ୍‌ସ୍‌’ ନିମନ୍ତେ ମାଲ୍ୟା ଏକ ସେଟଲ୍‌ମେଣ୍ଟ୍‌ ପ୍ୟାକେଜ୍ ଅଫର୍ କରିଛନ୍ତି। ଯଦି ତାହା ଗ୍ରହଣ କରାଯାଏ ତେବେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ରୁଜୁ କରିଥିବା ସମସ୍ତ ମାମଲାର ସମାଧାନ ହୋଇଯିବ।

Image Courtesy of Deccan Herald

ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କ ଆଗରେ ତାଙ୍କ ଓକିଲ ‘ସେଟଲ୍‌ମେଣ୍ଟ୍‌ ପ୍ୟାକେଜ୍’ର ପରିମାଣ ଉଲ୍ଲେଖ କରି ନାହାନ୍ତି। କିନ୍ତୁ, ବିଶେଷସୂତ୍ରରୁ ଜଣାପଡ଼ିଛି, ଗତ ମାସରେ ମାଲ୍ୟା ଫାଇଲ୍ କରିଥିବା ପିଟିସନ୍‌ରେ ‘ସେଟଲ୍‌ମେଣ୍ଟ୍‌ ପ୍ୟାକେଜ୍’ର ପରିମାଣ ୧୩, ୯୬୦ କୋଟି ଟଙ୍କା ବୋଲି ଉଲ୍ଲେଖ କରାଯାଇଛି। ଏହି ଅର୍ଥ ଖିଲାପ ହୋଇଥିବା ମୂଳ ଅର୍ଥ ଠାରୁ ୯୦୦୦ କୋଟି ଟଙ୍କା ଅଧିକ।

Image Courtesy of The Times of India

କିନ୍ତୁ, ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିଲେ କି, ଥରକୁ ଥର ଏ ଭଳି ଅଫର୍‌ ଦେବା ମାଲ୍ୟାଙ୍କର ଅଭ୍ୟାସ। ତେଣୁ, ଭାରତକୁ ଆସିବା ପୂର୍ବରୁ ତାଙ୍କୁ ଏହି ଅର୍ଥ ଜମା କରିବାକୁ କୁହାଯାଉ। ଏଥିରୁ ଆଭାସ ମିଳୁଛି ଯେ, ମାଲ୍ୟା ଖୁବ୍ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ ହୋଇପାରନ୍ତି। ପ୍ରତ୍ୟପର୍ଣ ଉପରେ ରହିତାଦେଶ ନିମନ୍ତେ ଏକାଧିକ ଅଦାଲତରୁ ମାମଲା ହାରିବା ପରେ ସମ୍ପ୍ରତି ମାଲ୍ୟା ଇଂଲଣ୍ଡ୍‌ରେ ରାଜନୈତିକ ଶରଣ ପାଇଁ ନିବେଦନ କରିଥିବା କଥା ଜଣାପଡ଼ିଛି।

ସମ୍ବନ୍ଧିତ ଖବର